ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଭୂସ୍ୱର୍ଗର ପରିଚୟ ପାଇଥିବା କଶ୍ମୀର ନିଜର ପ୍ରାକୃତିକ ପରିବେଶ, ପାହାଡ଼, ଝରଣା ଆଦି ପାଇଁ ବେଶ୍ ପ୍ରସିଦ୍ଧ। ଏଥିସହ ଆତଙ୍କବାଦୀମାନଙ୍କ ପାଇଁ ମଧ୍ୟ ଏହା  ସ୍ୱର୍ଗ ପାଲଟିଯାଇଥିଲା। ଯେଉଁଠାରେ ସେମାନେ ଆତଙ୍କୀ ଆକ୍ରମଣ ପାଇଁ ଲୁଚି ରହୁଥିଲେ।

ତେବେ ଅକ୍ଟୋବର ୩୧ରୁ କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହଟାଇବା ସହ ଏହାକୁ କଶ୍ମୀର ଓ ଲଦାଖ ଭାବେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଦିଆଯାଇଛି। ଯାହା ଫଳରେ ଦୀର୍ଘ ସମୟ ଧରି କଶ୍ମୀର ଦେଖାଯାଉଥିବା ସମସ୍ୟାକୁ ସମାଧାନ କରାଯାଇପାରିବ ବୋଲି କୁହାଯାଉଛି।

ତେବେ କଶ୍ମୀର ସମସ୍ୟାକୁ କେତେକ ଫିଲ୍ମ ନିର୍ଦ୍ଦେଶକ କିମ୍ବା ଅଭିନେତା ତାଙ୍କର ଫିଲ୍ମ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି।

୨୦୦୦ ମସିହାରେ ନିର୍ମିତ ହୋଇଥିବା ବଲିଉଡ୍ ଫିଲ୍ମ ମିଶନ୍ କଶ୍ମୀରରେ ସେଠାରେ ଦେଖାଯାଉଥିବା ଆତଙ୍କବାଦ ଉପରେ ନିର୍ମିତ ହୋଇଥିଲା। ଫିଲ୍ମରେ ପୋଲିସ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ କିଭଳି ଗୋଟିଏ ସାଧାରଣ ପରିବାର ପ୍ରଭାବିତ ହେଉଛି ସେ ଉପରେ ଦେଖାଯାଇଥିଲା। ଫିଲ୍ମରେ ହ୍ରିତିକ୍ ରୋଶନଙ୍କ ସହ ମୁଖ୍ୟ ଚରିତ୍ରରେ ପ୍ରିତି ଜିଣ୍ଟା, ସଞ୍ଜୟ ଦତ୍ତ ପ୍ରମୁଖ ନଜର ଆସିଥିଲେ।

ସେହିପରି ଅମିର ଖାନଙ୍କ ଅଭିନୀତ ଫନା ମୁଭିରେ ମଧ୍ୟ ଅମିର ଜଣେ ବିଚ୍ଛିନ୍ନତାବାଦୀ ଚରିତ୍ରରେ ନଜର ଆସିଥିଲେ। ଏହି ଫିଲ୍ମରେ ଆଜାଦ୍ କଶ୍ମୀର ଗଠନ ପାଇଁ ବିଚ୍ଛିନ୍ନତାବାଦୀ ନେତାମାନେ ଚେଷ୍ଟା କରୁଥିବା ଦେଖାଯାଇଥିଲା।

କଶ୍ମୀରରେ ବସବାସ କରୁଥିବା ବିଚ୍ଛିନ୍ନବାଦୀ ନେତା ଓ ଆତଙ୍କବାଦକୁ ସଠିକ ଭାବେ ଦେଖାଯାଇଥିଲା ‘ଦିଲ ସେ’ ଫିଲ୍ମରେ। ଶାହାରୁଖ୍ ଖାନଙ୍କ ମୁଖ୍ୟ ଚରିତ୍ରରେ ନିର୍ମିତ ଏହି ଫିଲ୍ମରେ ସେ ଜଣେ କଶ୍ମୀର ଝିଅ ପ୍ରେମରେ ପଡ଼ିଯିବା ପରେ କ’ଣ ହେଉଛି ତାକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଥିଲା।

କେବଳ ବଲିଉଡ୍ ନୁହେଁ ଦକ୍ଷିଣ ଭାରତୀୟ ଫିଲ୍ମ ‘ରୋଜା’ରେ ମଧ୍ୟ କଶ୍ମୀରର ଆତଙ୍କବାଦ ବିଷୟରେ ଦେଖାଯାଇଥିଲା। ଫିଲ୍ମରେ ତାମିଲ ଷ୍ଟାର ଅରବିନ୍ଦଙ୍କ ସହ ମଧୁ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥିଲା।

ସୁଜିତ ସରକାରଙ୍କ ନିର୍ଦ୍ଦେଶିତ ‘ୟହାନ’ରେ ମଧ୍ୟ ଦର୍ଶକ କଶ୍ମୀରରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ସେ ସମୟର କଶ୍ମୀର ପରିବେଶ ବିଷୟରେ ଦେଖିବାକୁ ପାଇଥିଲେ। ଫିଲ୍ମରେ ଜିମ୍ମି ଶେରଗିଲ୍ ଓ ମନିଷା ଲାମ୍ବା ମୁଖ୍ୟ ଚରିତ୍ରରେ ଦେଖାଯାଇଥିଲା। ଫିଲ୍ମଟି ୨୦୦୫ ମସିହାରେ ରିଲିଜ ହୋଇଥିଲା।

Comment