ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୧୭ ତାରିଖରେ ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ସେ ଅବସର ନେବା ପୂର୍ବରୁ ୪ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଣି ହେବ। ଆସନ୍ତା ୪ ତାରିଖରୁ ୧୦ ଦିନ ମଧ୍ୟରେ ସୁପ୍ରିମକୋର୍ଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଆସିବ।

ସେଥିମଧ୍ୟରେ ରହିଛି ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ମାମଲା, କେରଳ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ସମ୍ପର୍କିତ ମାମଲା, ରାଫେଲ ଓ ସୂଚନା ଅଧିକାର ଆଇନରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆସିବ କି ନାହିଁ ସେ ଉପରେ ରାୟ ଆସିବ।

୧୮୫୮ ମସିହାରୁ ରାମ ଜନ୍ମଭୂମି ଓ ବାବ୍ରି ମସ୍‌ଜିଦ୍‌ ମାମଲା କୋର୍ଟରେ ଚାଲୁ ରହିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ କ’ଣ ଆସିବ ତାକୁ ଦେଶବାସୀ ଅପେକ୍ଷା କରି ରହିଛନ୍ତି। ନଭେମ୍ବର ୧୪କିମ୍ବା ଏହା ପୂର୍ବରୁ ଏହି ମାମଲାର ଚୂଡ଼ାନ୍ତ ରାୟ ଆସିବ ବୋଲି କୁହାଯାଉଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରିବେ।

କେରଳର ସାବରୀମାଲା ଆୟପ୍ପା ମନ୍ଦିରକୁ ସବୁ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ। ଏହି ରାୟ ବିରୋଧରେ ଏକ ରିଭ୍ୟୁ ପିଟିସନ ଆଗତ ହୋଇଥିଲା। ଏହି ପିଟିସନ ଉପରେ ସୁପ୍ରିମକୋର୍ଟରୁ ରାୟ ଆସିବାର ଅଛି। ଫେବ୍ରୁଆରି ୬ରେ ଏହାର ଶୁଣାଣି ହୋଇ ରାୟ ସଂରକ୍ଷିତ ହୋଇଥିଲା। ଏହି ମାମଲାରେ ମୋଟ ୬୫ଟି ଆବେଦନ କରାଯାଇଥିଲା। ଏଥିରୁ ୫୭ଟି ଥିଲା ରିଭ୍ୟୁ ପିଟିସନ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ୍‌ ଅଧିନକୁ ଆଣିବା ସମ୍ପର୍କରେ ସୂଚନା ଅଧିକାର କର୍ମୀ ସୁଭାଷ ଚନ୍ଦ୍ର ଅଗ୍ରୱାଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଦିଲ୍ଲୀ ହାଇକୋର୍ଟ ଏହି ଆବେଦନ ବିରୋଧରେ ରାୟ ଦେବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଶୁଣାଣି ହେଉଥିଲା।

ଫ୍ରାନ୍ସରୁ ଭାରତ ୩୬ଟି ରାଫେଲ ବିମାନ କିଣିବା ନେଇ ଯେଉଁ ଚୁକ୍ତି ହୋଇଥିଲା ଏ ସମ୍ପର୍କରେ ଏକ ରିଭ୍ୟୁ ପିଟିସନ ଆଗତ ହୋଇଥିଲା। ଏହି ମାମଲାର ସିବିଆଇ ତଦନ୍ତ ନେଇ ଆବେଦନ ହୋଇଥିଲା। ଏହି ମାମଲାର ରାୟ ମେ’ ୧୦ରେ ସଂରକ୍ଷିତ ହୋଇଥିଲା।

Comment