ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ ଭଳି ବାତ୍ୟାର ଭୟବହତା ଅଧିକ ନାହିଁ। ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଲେ ପାଣିପାଗ ବିଜ୍ଞାନୀ ଶରତ ସାହୁ।

  • ବାତ୍ୟା ସମ୍ପର୍କରେ ୬ ତାରିଖ ସୁଦ୍ଧା ସ୍ପଷ୍ଟ ସୂଚନା
  • ୭ ତାରିଖ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ
  • ଓଡ଼ିଶା ମୁହାଁ ହେଲେ ୧୦ ତାରଖରେ ଉପକୂଳ ଛୁଇଁବ ବାତ୍ୟା
  • ପୂର୍ବ ଭଳି ବାତ୍ୟାର ଭୟବହତା ଅଧିକ ନାହିଁ
  • ଭୟଭୀତ ନହେବାକୁ ପରାମର୍ଶ

“ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ତେବେ ଏବେଠୁ ସେ ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ଆକଳନ କରାଯାଇପାରିବନି। ଆସନ୍ତା ୬ କିମ୍ବା ୭ ତାରିଖ ଆଡ଼କୁ ହିଁ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇପାରିବ” ଏହା କହିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ।

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଓଡ଼ିଶା ପ୍ରତି ଆଉ ଏକ ବାତ୍ୟା ହେବାର ଆଶଙ୍କା କରାଯାଉଛି। ଏନେଇ ତାଜା ସୂଚନା ପାଇବା ପାଇଁ ଓଡ଼ିଶାଲାଇଭ୍‌ ଟିମ୍‌ ଭେଟିଥିଲା ପାଣିପାଗ ବିଜ୍ଞାନୀ ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ ବିଭାଗର ନିର୍ଦ୍ଦେଶକ ଶରତ ସାହୁଙ୍କୁ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଶରତ ସାହୁ କହିଛନ୍ତି, ବର୍ତ୍ତମାନ ସମୁଦ୍ରରେ ଭିତରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନୀଭୂତ ହୋଇନାହିଁ। କାରଣ ଏହା ସମୁଦ୍ର ଭିତରର ତାପମାନ ୨୯ରୁ ୩୦ ଡିଗ୍ରୀ ମଧ୍ୟରେ ରହିଛି। ଏହା ଏକ ଭଲ ସଙ୍କେତ। ସେହିପରି ବାୟୁମଣ୍ଡଳର ତଳ ସ୍ତର ଓ ଉପର ସ୍ତର ମଧ୍ୟରେ ପବନବେଗର ପାର୍ଥକ୍ୟ ମଧ୍ୟ ବହୁତ କମ୍ ଅଛି। କେବଳ ଲଘୁଚାପ ସୃଷ୍ଟି ହେଇଥିବା ଅଞ୍ଚଳର ଉପରସ୍ତରର ବାୟୁର ବେଗ ସାମାନ୍ୟ ଅଧିକ ରହିଛି।”

“ଆକଳନ ଅନୁସାରେ ଏହି ଲଘୁଚାପ ନିଶ୍ଚୟ ଘନୀଭୂତ ହେବ। ଏହା ବାତ୍ୟାର ରୂପ ମଧ୍ୟ ନେଇପାରେ। ଏହା ପ୍ରଭାବରୁ ଆସନ୍ତା ୭ ତାରିଖ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ବିଶେଷକରି ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି” ଶରତ ସାହୁ କହିଛନ୍ତି।

ଯଦି ଏହି ବାତ୍ୟାର ଓଡ଼ିଶା ମୁହାଁ ହୁଏ ତେବେ ଏହା ୧୦ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁବ ବୋଲି ଶରତ ସାହୁ ପୂର୍ବାନୁମାନ କରିଛନ୍ତି। ଫଳରେ ଉପକୂଳ ଓଡ଼ିଶାର ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଜିଲ୍ଲାକୁ ପ୍ରଭାବିତ କରିବ। ଏହାସହ ନୟାଗଡ଼, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଢ଼େଙ୍କାନାଳ ଜିଲ୍ଲା ଅଳ୍ପ ପରିମାଣରେ ପ୍ରଭାବିତ ହୋଇପାରନ୍ତି।

ତେବେ ଯଦି ବାତ୍ୟା ଓଡ଼ିଶା ଆସେ ତେବେ ପବନ ବେଗ କମ୍ ରହିବ। ପୂର୍ବ ବାତ୍ୟାମାନଙ୍କ ଭଳି ଏହାର ଭୟବହତା ସେଭଳି ଅଧିକ ରହିବ ନାହିଁ ବୋଲି ସେ କହିଛନ୍ତି। ତେଣୁ ଭୟଭୀତ ନହେବା ପାଇଁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

Comment