ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା କ୍ଷୀଣ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

‘‘ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି। ଏହା ବୁଧବାର ବାତ୍ୟାର ରୂପ ନେବ। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହି ବାତ୍ୟା ପଶ୍ଚିମବଙ୍ଗ, ବାଂଲାଦେଶ, ଉତ୍ତର ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ। କିନ୍ତୁ ଏହା କେଉଁ ଉପକୂଳରେ ଗତି କରିବ ଏବଂ କେବେ ଅତିକ୍ରମ କରିବ, ଏହାର କୌଣସି ସ୍ପଷ୍ଟ ଚିତ୍ର ମିଳି ନାହିଁ’’, ଆଇଏମ୍‌ଡି ଡିଜି।

ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ୯ ତାରିଖରେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ୪୦ରୁ ୬୦ ବେଗରେ ବହିବାର ସମ୍ଭାବନା ରହିଛି। ଧୀରେ ଧୀରେ ଏହା ୧୦ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ୫୦ରୁ ୬୦ କିଲୋମିଟର ବେଗରେ ବହିପାରେ।

୮ ତାରିଖ ସକାଳୁ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ପଳେଇଆସିବାକୁ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।

ବୁଧବାର ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବ ଏବଂ ପରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ। କିନ୍ତୁ ଏହି ବାତ୍ୟାର ଗତି ଓଡ଼ିଶା ଉପକୂଳକୁ ଛୁଇଁବାର ସମ୍ଭାବନା ବହୁତ କମ୍‌। କିନ୍ତୁ ଏହି ବାତ୍ୟାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ। ୯ ତାରିଖରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

Comment