ଓଡ଼ିଶାଲାଇଭ୍ ବ୍ୟୁରୋ

(କୃତ୍ତିକା ଶତପଥୀ): ଆମ ଭାରତୀୟ ସଂସ୍କୃତିରେ ଗାଈଙ୍କୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ଭାରତୀୟ ସଭ୍ୟତାରେ ଗୋପାଳନକୁ ବି ଗୁରୁତ୍ୱ ଦିଆଯାଏ।

ହେଲେ ବର୍ତ୍ତମାନ ଆଧୁନିକତାର ଏହି ସହରୀ ସଭ୍ୟତାରେ ଆମେ ଗୋରୁଗାଈଙ୍କ ପ୍ରତି ଆଉ ସେତଟା ଗୁରୁତ୍ୱ ଦେଉନାହାନ୍ତି। ରାସ୍ତା ଉପରେ ଅସହାୟ ଭାବେ ପଡ଼ିଥିବା ଗୋରୁଗାଈଙ୍କୁ ଦେଖିବି ମୁହଁ ଫେରାଇ ଚାଲି ଆସୁଛନ୍ତି।

ବରଗଡରର କଶ୍ମୀର ସିଂହ କିନ୍ତୁ ଆମ ସମସ୍ତଙ୍କଠାରୁ ଟିକେ ଭିନ୍ନ। ଅସହାୟ ଭାବେ ରାସ୍ତା ଓ ବଜାରରେ ବୁଲୁଥିବା ଗାଈଙ୍କୁ ସାହାଯ୍ୟ କରିବାକୁ ସେ ତାଙ୍କ ଜୀବନର ବ୍ରତ ବୋଲି ଗ୍ରହଣ କରିନେଇଛନ୍ତି। ସେଥିପାଇଁ କଶ୍ମୀର ସିଂହ ତାଙ୍କ ଅଞ୍ଚଳର ‘ଗୋ’ବନ୍ଧୁ’ ବୋଲି କୁହାଯାଉଛି।

୫୯ବର୍ଷୀୟ କଶ୍ମୀର ସିଂହ ବରଗଡ଼ର ଗୁରୁଦ୍ୱାରଚୌକ ଅଞ୍ଚଳରେ ବସବାସ କରିଥାନ୍ତି। ଦୀର୍ଘ ଦିନ ଧରି ସେ ତାଙ୍କ ସେହି ଅଞ୍ଚଳର ବଜାର ଓ ରାସ୍ତାରେ ବୁଲୁଥିବା ଗାଈମାନଙ୍କୁ ଖାଇବାକୁ ଦେଇ ଆସୁଛନ୍ତି। ପ୍ରତିଦିନ ସେ ତାଙ୍କ ସ୍କୁଟରରେ ରୁଟି ଓ ବିଭିନ୍ନ ପ୍ରକାରର ପନିପରିବା ଆଣି ଗାଈମାନଙ୍କୁ ଖାଇବାକୁ ଦେଇଥାନ୍ତି। ଏହି କାରଣରୁ ଅସହାୟ ଗାଈମାନଙ୍କ ପାଇଁ ଆଜି ସେ ଭଗବାନ ସାଜିଛନ୍ତି।

କଶ୍ମୀର ସିଂହ ପ୍ରତିଦିନ ସେହି ଅସହାୟ ଗାଈମାନଙ୍କ ପାଇଁ ବିଭିନ୍ନ ଘରମାନଙ୍କରୁ ଖାଇବା ସଂଗ୍ରହ କରିଥାନ୍ତି। ଏହାପରେ ସେ ନିଜେ ଯାଇ ଏହି ଖାଇବାକୁ ସେହି ଗାଈଗୋରୁମାନଙ୍କୁ ଖାଇବାକୁ ଦେଇଥାନ୍ତି।  କେବଳ ଖାଇବା ନୁହେଁ ଯଦି କୌଣସି ଗାଈଗୋରୁ ଅସୁସ୍ଥ ହୋଇଯାଆନ୍ତି ତେବେ ତୁରନ୍ତ ସେ ସେହି ଗାଈର ଚିକିତ୍ସା କରାଇ ତାକୁ ସୁସ୍ଥ କରିଥାନ୍ତି। 

ଅସହାୟ ଗାଈମାନଙ୍କୁ ସାହାଯ୍ୟ କରିବା ପାଇଁ କଶ୍ମୀର ‘ଜୟ ଭୋଲେ ଗୋସେବା ସମିତି’ ନାମରେ ଗୋଟିଏ ସଙ୍ଗଠନ ମଧ୍ୟ ତିଆରି କରିଛନ୍ତି। ଏହି ସଙ୍ଗଠନ ମାଧ୍ୟମରେ ସେ କିଛି ଯୁବକଙ୍କୁ ନେଇ ଏହି ଗାଈମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି। କୌଣସି ଗାଈଗୋରୁ ମରିଗଲେ ସେହି ଗାଈର ଶବ ସତ୍କାର ପାଇଁ ସେଠାରେ ପହଞ୍ଚିଯାଇଥାନ୍ତି କଶ୍ମୀର ସିଂହ। ଗାଈଗୋରୁଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ସେ ନିଜେ ଗାଈଗୋରୁଙ୍କ ଶବକୁ ନେଇଯାଆନ୍ତି।

କଶ୍ମୀରଙ୍କ ଏଭଳି କାର୍ଯ୍ୟପାଇଁ ତାଙ୍କୁ ଅନେକ ସଙ୍ଗଠନ ମଧ୍ୟ ସମ୍ମାନିତ କରିଛନ୍ତି। ଆଜିର ଏହି ଆଧୁନିକ ସମାଜରେ ସେ ଗାଈମାନଙ୍କର ତ୍ରାଣକର୍ତ୍ତା ସାଜିଛନ୍ତି ବୋଲି ଅନେକ କହିଥାନ୍ତି।

Comment