ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ବାତ୍ୟା ଭୟ ନାହିଁ। ହେଲେ ଗତ ଦୁଇ ଦିନ ମିଡିଆରେ ବାତ୍ୟାକୁ ନେଇ ବହୁଛି ପ୍ରବଳ ପବନ। କେଉଁ ମିଡିଆରେ ‘ପୁଣି ଡରାଇଲାଣି ବାତ୍ୟା’ ଶୀର୍ଷକରେ ଖବର ପ୍ରସାରଣ ହୋଇଥିଲା ତ ଆଉ କିଏ ‘ଆସୁଛି ବାତ୍ୟା’ ଏବଂ ‘ଆସୁଛି ବାତ୍ୟା ବୁଲ୍‌ବୁଲ୍‌’ ଶୀର୍ଷକରେ ଖବର ପ୍ରସାରଣ କରିଥିଲେ।

ବିଭିନ୍ନ ଛାପା, ଡିଜିଟାଲ ମିଡିଆରେ ବାତ୍ୟାକୁ ନେଇ ରକମ ରକମର ଖବର ପ୍ରକାଶ ପାଇଥିଲା। ଯେଉଁସବୁ ଖବର ପ୍ରକାଶ ପାଇଥିଲା ତାହା ସୋସିଆଲ ମିଡିଆରେ ଘୂରି ବୁଲିଥିଲା। ଲୋକେ ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍‌ ଏବଂ ଟୁଇଟର୍‌ରେ ସେୟାର କରିବାକୁ ଭୁଲି ନଥିଲେ।

ଏସବୁ ଖବରରେ ଯେଉଁ ଭିଡିଓ ଏବଂ ଫଟୋ ପ୍ରକାଶ ପାଇଥିଲା ତାକୁ ଦେଖି ଲୋକେ ଛାନିଆ ହୋଇଯାଇଥିଲେ। ଏମିତିକ କିଛି ଗଣମାଧ୍ୟମ କେତେ କିଲୋମିଟର ବେଗରେ ପବନ ବହିବ ତାହା କି ଆକଳନ କରିଦେଇଥିଲେ। ଗତ ମେ’ ମାସରେ ଏକ ଭୟାନକ ବାତ୍ୟା ଦେଖିଥିବା ଉପକୂଳ ଓଡ଼ିଶାବାସୀ ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ପୁଣି ଡରି ଯାଇଥିଲେ।

ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ, ରାଜ୍ୟ ସରକାର କୌଣସି ସଠିକ୍‌ ସୂଚନା ଦେଇପାରି ନଥିବା ବେଳେ ମିଡିଆରେ ଏନେଇ ପ୍ରବଳ ପବନ ବହିଥିଲା। ଆସନ୍ତା ଦୁଇ ତିନି ଦିନ ଭିତରେ ବାତ୍ୟା ରୂପ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ କହୁଥିଲେ ମଧ୍ୟ ଏହାକୁ ଗ୍ରହଣ ନକରି ମିଡିଆରେ ମନଇଚ୍ଛା ଖବର ପ୍ରକାଶ କରାଯାଇଥିଲା। ରୋମାଞ୍ଚକର ହେଡ୍‌ଲାଇନ୍‌ସ୍‌ ଦେଖି ଲୋକେ ଭୟ କରି ଯାଇଥିଲେ। ହେଲେ ଓଡ଼ିଶା ପ୍ରତି କୌଣସି ବାତ୍ୟା ବିପଦ ନାହିଁ ବୋଲି ପାଣିପାଗ ବିଜ୍ଞାନୀ କହିବା ପରେ ଲୋକଙ୍କ ମନରୁ କିଛିଟା ଭୟ ଦୂର ହୋଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ଓଡ଼ିଶାଲାଇଭ୍‌କୁ କହିଛନ୍ତି, ‘‘ବାତ୍ୟାକୁ ନେଇ ଛାନିଆ ହେବାର କୌଣସି କାରଣ ନାହିଁ। ଓଡ଼ିଶା ପ୍ରତି ବାତ୍ୟା ବିପଦ ନାହିଁ। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି।’’

ଖାଲି ସେତିକି ନୁହେଁ, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ୮ ତାରିଖରୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ। ନଭେମ୍ବର ୯ରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ହବିବୁର ରେହମାନ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

ବାତ୍ୟାକୁ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ଗତ ଦୁଇ ଦିନ ହେଲା ମିଡିଆରେ ପ୍ରବଳ ପବନ ବହିବାକୁ ନେଇ ବୁଦ୍ଧିଜୀବୀ ମହଲରେ ନାସପନ୍ଦ କରାଯାଇଛି। ଗଣାମଧ୍ୟମର କାମ ହେଉଛି ଲୋକଙ୍କୁ ଖବର ଦେବା ଏବଂ ଆଗୁଆ ସଚେତନ କରିବା। ହେଲେ ଲୋକଙ୍କୁ ଡରେଇଲା ଭଳି ଖବର ପ୍ରସାରଣ କରିବା ଠିକ୍‌ ନୁହେଁ ବୋଲି କିଛି ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ମତ ଦେଇଛନ୍ତି।

ପରିବାର ଦର ଆକାଶ ଛୁଆଁ

କାର୍ତ୍ତିମ ମାସ ହୋଇଥିବାରୁ ଏବେ ପରିବା ଦରରେ ହାତ ମାରି ହେଉ ନଥିଲା। ହେଲେ ଯେବେଠୁ ବାତ୍ୟା ଖବର ପ୍ରସାରିତ ହେଲାଣି ସେବେଠୁ ପରିବା ବଜାରରେ ନିଆ ଲାଗି ଯାଇଛି। ମିଡିଆର ବାତ୍ୟା ଖବର ପ୍ରସାରଣକୁ ଦେଖି ଲୋକଙ୍କ ଭିଡ଼ ବଜାରରେ ଲାଗିଥିଲା। ଲୋକଙ୍କ ଭିଡ଼ ଅସମ୍ଭାଳ ହେବାରୁ ଦର ସବୁ ଆକାଶ ଛୁଆଁ ହୋଇଯାଇଛି। ମଙ୍ଗଳବାର ଭୁବନେଶ୍ୱରରେ ପରିବା ଦର କିଲୋ ପିଛା ୭୦ ଟଙ୍କା ହୋଇଛି। ଡାଲି ଚାଉଳ ବି ବଢ଼ି ଯାଇଛି। କ୍ୟାଣ୍ଡେଲ କଥା ନକହିବା ଭଲ।

ବାତ୍ୟା ନଆସୁଣୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପରିବା ବଜାର ବେଲଗାମ ହୋଇ ଯାଇଛି। ଏନେଇ ଯୋଗାଣ ବିଭାଗ ବି ଚୁପ୍‌ ବସିଛି। ଚଢ଼ା ଦରରେ ପରିବା ଏବଂ ଗ୍ରୋସରୀ ସାମଗ୍ରୀ ବିକ୍ରି ହେଉଥିଲେ ମଧ୍ୟ ପ୍ରଶାସନ କିଛି ପଦକ୍ଷେପ ନେଉନି।

ଗୋଟିଏପଟେ ମିଡିଆରେ ବାତ୍ୟା ‘ପବନ’ ଏବଂ ଅନ୍ୟପଟେ କଳାବଜାରୀଙ୍କ ଚଢ଼ା ଦରରେ ବିଚରା ସାଧାରଣ ଲୋକ ପେଶି ହୋଇଯାଇଛନ୍ତି।

ଗତ ୨୦୧୪ରେ ହୁଡ୍‌ହୁଡ୍‌ ଏବଂ ୨୦୧୮ରେ ତିତ୍‌ଲି ଓଡ଼ିଶା ମୁହାଁ ହୋଇଥିଲା। ସେ ସମୟରେ ବି ମିଡିଆରେ ବାତ୍ୟାକୁ ନେଇ ରୋଚକ ଖବର ପ୍ରକାଶ ପାଇଥିଲା। କିଛି ଟିଭି ଚ୍ୟାନେଲ ସାରା ରାତି ଲାଇଭ୍‌ ସୋ’ କରିଥିଲେ। କିନ୍ତୁ ଉପକୂଳ ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡ଼ି ନଥିଲା। କେବଳ ଦକ୍ଷିଣ ଓଡ଼ିଶା ପଟେ ବାତ୍ୟା ତାଣ୍ଡବ ରଚିଥିଲା।

ବାତ୍ୟା ଚାଲିଯିବା ପରେ ସୋସିଆଲ ମିଡିଆରେ କିଛି ବୁଦ୍ଧିଜୀବୀ, ଛାତ୍ର ଏବଂ ଯୁବକ ମିଡିଆର ବାତ୍ୟା ସମ୍ପର୍କୀତ ହେଡ୍‌ଲାଇନ୍‌ସକୁ ନେଇ ସମାଲୋଚନା କରିଥିଲେ। କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଏହାର ଜବାବ ଦେଇଥିଲେ। ହେଲେ ଏବେ ବାତ୍ୟା ନଆସୁଣୁ ମିଡିଆରେ ଗତ ଦୁଇ ଦିନ ହେଲା ଯେଉଁ ପବନ ଚାଲିଛି ତାକୁ ସାଧାରଣ ଲୋକେ କେମିତି ଗ୍ରହଣ କରୁଛନ୍ତି ଆଗାମୀ ଦିନରେ ଜଣାପଡ଼ିବ।

Comment