ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅବପାତର ରୂପ ନେଲା ଲଘୁଚାପ
  • ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ବାତ୍ୟା
  • ୮ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା
  • ମତ୍ସ୍ୟଜୀବୀଙ୍କୁ ସତର୍କ କଲା ପାଣିପାଗ ବିଭାଗ
  • ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ

‘‘ବାତ୍ୟାକୁ ନେଇ ଛାନିଆ ହେବାର କୌଣସି କାରଣ ନାହିଁ। ଓଡ଼ିଶା ପ୍ରତି ବାତ୍ୟା ବିପଦ ନାହିଁ। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି’’, କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଗତ ଦୁଇ ଦିନ ହେଲା ଲୋକେ ଛାନିଆ ହୋଇଯାଇଥିଲେ। ବାତ୍ୟା ଭୟ ଯୋଗୁଁ ଲୋକେ ଆଗୁଆ ସତର୍କତା ଅବଳମ୍ବନ କରିବା ସହ ଖାଦ୍ୟ ସାମଗ୍ରୀ ମହଜୁଦ ରଖିଥିଲେ। ହେଲେ ଓଡ଼ିଶାଲାଇଭ୍‌କୁ ଶ୍ରୀ ରେହମାନ ଓଡ଼ିଶାକୁ ବାତ୍ୟା ବିପଦ ନାହିଁ କହିବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି।

ହବିବୁର ରେହମାନ କହିଛନ୍ତି , “ବର୍ତ୍ତମାନ ଏହି ସାମୁଦ୍ରିକ ଝଡ଼ ପାରାଦୀପର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରୁ ୯୨୦ କିଲୋମିଟର ଦୂରରେ ରହିଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଆଗାମୀ ୨୪ ଘଣ୍ଟା ବେଳକୁ ଏହା ବାତ୍ୟାରେ ପରିଣତ ହେବ।”

ବର୍ତ୍ତମାନ ଏହି ବାତ୍ୟା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ପରେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଫଳରେ ବାତ୍ୟାଟି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ଗତିକରିବ ବୋଲି କହିଛନ୍ତି ହବିବୁର ରେହମାନ।

‘‘ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷାର ସମ୍ଭାବନା ନାହିଁ। ୮ ତାରିଖରୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ। ନଭେମ୍ବର ୯ରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି’’, କହିଛନ୍ତି ହବିବୁର ରେହମାନ।

ବାତ୍ୟା ପାଇଁ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମଙ୍ଗଳବାରଠାରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ୯ ତାରିଖ ସୁଦ୍ଧା ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ପାଇଁ ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ସମୁଦ୍ର ଭିତରକୁ ଯିବାକୁ ଥିବା ଅନେକ ଜାହାଜକୁ ରୋକି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ।

Comment