ଓଡ଼ିଶାଲାଇଭ ବ୍ୟୁରୋ

  • ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ୧୫୦ବିଦ୍ୟାର୍ଥୀ ଲାଗିଛନ୍ତି ଏହି କାମରେ
  • ସର୍ବଶ୍ରେଷ୍ଠ ତିନି ଜଣଙ୍କ କଳାକୃତିକୁ ମିଳିବ ମାନପତ୍ର
  • ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ଆଙ୍କିଲେ ପ୍ରଥମଚିତ୍ର

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱର ପରେ ଏବେ ବାଲେଶ୍ଵର ସହରର ସବୁ ସରକାରୀ ପାଚେରୀରେ ଝଲସିବ ଚିତ୍ରଶିଳ୍ପୀଙ୍କ କଳାକୃତି। ବାଲେଶ୍ଵରର ଜିଲ୍ଲାପାଳ ସହରକୁ ସଜେଇବା ଲକ୍ଷ୍ୟରେ ଆରମ୍ଭ କଲେ ଏପରି ଏକ ପ୍ରଶଂସନୀୟ କାର୍ଯ୍ୟ।

ବାଲେଶ୍ଵରର ଏକମାତ୍ର ଚିତ୍ର କଳା ଅନୁଷ୍ଠାନ ‘ବାଲେଶ୍ଵର ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜ’ର ପ୍ରାୟ ଦେଢଶହ ଚିତ୍ର କଳା ପଢୁଥିବା ବିଦ୍ୟାର୍ଥୀ ଏହି ଓ୍ଵାଲ ପେଣ୍ଟି ଅଭିଯାନରେ ସାମିଲ ହୋଇଛନ୍ତି। ପ୍ରତିଦିନ ବାରଟା ପର୍ଯ୍ୟନ୍ତ ଧାର୍ଯ୍ୟ ସରକାରୀ ପାଚେରୀରେ ଚିତ୍ର ଆଙ୍କୁଛନ୍ତି ଏହି ଶିଳ୍ପୀମାନେ।

ଏହା ପୂର୍ବରୁ କେବଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଆବାସିକ କାର୍ଯ୍ୟାଳୟ ପ୍ରାଚୀରରେ ଚିତ୍ରକରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଚିତ୍ରକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ଦ୍ଵାରା ସାରା ସହରରେ ଏହି କାର୍ଯ୍ୟ କରାଯିବ।

ଏହା ସହରର ଏସ୍.ପି. ଅଫିସ୍, ଟ୍ରାଫିକ ପୋଲିସ ଅଫିସ୍, ପାନ୍ଥନିବାସ, ଡି.ଆଇ.ଜି. ଅଫିସ, ପୋଲିସ ଲାଇନ ହାଇସ୍କୁଲ, ସର୍କିଟ ହାଉସ ପ୍ରେସକ୍ଲବ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଜଜ୍‌ଙ୍କ ବାସଭବନ, ଏଫ୍. ଏମ୍. କଲେଜ, ଜିଲ୍ଲାସ୍କୁଲ, ଜିଲ୍ଲା କାରାଗାର, ପବ୍ଲିକ ହାଇସ୍କୁଲ, ତହସିଲଦାରଙ୍କ ବାସଭବନ, ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ଡି.ଆର୍.ଡି.ଏ. ଅଫିସ ପାଚେରୀରେ ଗୁଡ଼ିକୁ ଚିତ୍ର ଶିଳ୍ପୀମାନେ ନିଜ ତୂଳୀ ସ୍ପର୍ଶରେ ସଜେଇବେ। ଏହା ଆଗାମୀ ସପ୍ତାହକ ମଧ୍ୟରେ ଶେଷ ହେବ। ତେବେ ଅଧ୍ୟାବଧି ଟ୍ରାଫିକ ପୋଲିସ ଅଫିସ୍, ଏସ୍. ପି. ଅଫିସ୍ କାନ୍ଥରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଏ ସମ୍ପର୍କରେ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜର ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ର ଶିଳ୍ପୀ ନିକୁଞ୍ଜ ବିହାରୀ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, “ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆମେ ଏକାର୍ଯ୍ୟ କରୁଛୁ। ଏଥିପାଇଁ ବାଲେଶ୍ଵର ମ୍ୟୁନିସିପାଲିଟି ରଙ୍ଗ ଯୋଗାଇ ଦେବା ସହ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ମଧ୍ୟ ଦେଉଛି। ଏହା ଦ୍ଵାରା ଦୁଇଟି ସୁବିଧା ହେଲା। ସହର ସୁନ୍ଦର ହେବା ସହ ଆମ ଛାତ୍ରଛାତ୍ରୀ ବାହାରେ ସର୍ବସାଧାରଣରେ ଚିତ୍ର ଆଙ୍କିବାର ଅଭିଜ୍ଞତା ସାଉଁଟିଲେ। ଏହା ସେମାନଙ୍କର ପ୍ରାକ୍ଟିକାଲ ପଢାରେ ସହାୟକ ହେବ।”

କେଉଁଠି କଳା, ଐତିହ୍ୟ, ପରମ୍ପରାର ଗାଥା ତ କେଉଁଠି ଶିକ୍ଷା, ସ˚ସ୍କୃତି ଓ ସଚେତନତାର ବାର୍ତ୍ତା ରହିବ। ଏବେ ପର୍ଯ୍ୟଟନ ଋତୁ ଆସିଯାଇଥିବା ବେଳେ ବାଲେଶ୍ଵର ଜିଲ୍ଲାପ୍ରଶାସନ ଓ ପୌରସ˚ସ୍ଥା ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବାଲେଶ୍ଵର ସହରର ମୁଖ୍ୟ ରାସ୍ତାରେ ରହିଥିବା ସରାକରୀ କାନ୍ଥ ପାଚେରିଗୁଡ଼ିକୁ ଏହି ପରି ଆକର୍ଷଣୀୟ ଢଙ୍ଗରେ ଚିତ୍ରିତ କରାଯାଉଛି।

ପୋଲିସ ଲାଇନ୍‌ ଛକରୁ ଆଜିମାବାଦ ଛକ, ଷ୍ଟେସନ ଛକରୁ ଏଡ଼ିଏମ ଛକ, ଫାଣ୍ତି ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଗୃହର ପାଚେରିଗୁଡ଼ିକରେ ବାଲେଶ୍ଵର ଜିଲ୍ଲାର ଚନ୍ଦନେଶ୍ଵର, ଭୂଷଣ୍ଢେଶ୍ଵର, କ୍ଷୀରଚୋରା, ପଞ୍ଚଲିଙ୍ଗେଶ୍ଵର ନୀଳଗିରି ରାଜପ୍ରାସାଦ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହର ସହିଦ୍‌ ସ୍ମୃତିପୀଠ ଆଦି ପ୍ରମୁଖ ପର୍ଯ୍ୟଟନସ୍ଥଳୀ।

ସେହିପରି ଶିକ୍ଷାନୁଷ୍ଠାନର ପାଚେରିଗୁଡ଼ିକରେ କ୍ୟାରିଅର କାଉନେସେଲି˚। ଆଇଜିଙ୍କ କାର୍ଯ୍ୟାଳୟ ପାଚେରୀରେ ବାଲେଶ୍ଵରର ପ୍ରାଚୀନ ନୌବାଣିଜ୍ୟ ଓ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି କରାଯାଉଥିବା ବେଳେ ସର୍କିଟ ହାଉସ୍‌ ପାଚେରିରେ ଆଦିବାସୀକଳା, ସ˚ସ୍କୃତି ଓ ପରମ୍ପରା। ଟ୍ରାଫିକ ଥାନା ପାଚେରିରେ ଟ୍ରାଫିକ୍‌ ସଚେତନତା ବାର୍ତ୍ତା। ଡିଆରଡିଏ କାର୍ଯ୍ୟାଳୟରେ ସ୍ଵଚ୍ଛପରିବେଶ, ଜଳସଂରକ୍ଷଣ, ମହିଳା ସଶକ୍ତିକରଣ ସହ ଭଳିକି ଭଳି ସଚେତନତା ବାର୍ତ୍ତାର ଚିତ୍ର କାନ୍ଥରେ ବାଲେଶ୍ଵର ତଥା ଓଡ଼ିଶାବାସୀଙ୍କ ସା˚ସ୍କୃତିକ ଜୀବନଯାତ୍ରାର ଚିତ୍ର ଅଙ୍କା ଯିବ।

Comment