ଓଡ଼ିଶାଲାଇଭ୍ ବ୍ୟୁରୋ

  • ୮ ତାରିଖ ଅପରାହ୍‌ଣରୁ ବର୍ଷା
  • ୯ ତାରିଖରେ ପ୍ରବଳ ବର୍ଷା
  • ୮୦ରୁ ୯୦ କିଲୋମିଟର ବେଗରେ ବହିପାରେ ପବନ
  • ୯ ତାରିଖରେ ୯ ଜିଲ୍ଲାରେ ସ୍କୁଲ ଛୁଟି

ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ବାତ୍ୟା ରୂପ ନେଇ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଅଭିମୁଖେ ମୁହାଁଇଛି। ଯଦିଓ ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି, ହେଲେ କିଛି ଜିଲ୍ଲାରେ ଆଂଶିକ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

ବିଶେଷକରି ଉପକୂବର୍ତ୍ତି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବହିପାରେ ବୋଲି କୁହାଯାଉଛି। ପବନର ବେଗ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଉପକୂଳ ଓଡ଼ିଶାରେ ୮ ତାରିଖରୁ ବର୍ଷା ଆରମ୍ଭ ହେବ। ୮ ତାରିଖ ଅପରାହ୍ଣରୁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ। ବିଶେଷକରି କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ହେବ।

୯ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କଟକ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୯ ତାରିଖରେ ୯ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।

Comment