ଓଡ଼ିଶାଲାଇଭ୍ ବ୍ୟୁରୋ

  • ୯ ତାରିଖ ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ବୁଲ୍‌ବୁଲ୍‌’
  • ଧାମରା ଉପକୂଳ ଦେଇ ଅତିକ୍ରମ କରିବ ‘ବୁଲ୍‌ବୁଲ୍‌’
  • ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବର୍ଷା
  • ଶନିବାର ସକାଳୁ ବଢ଼ିବ ପବନର ବେଗ
  • ଘଣ୍ଟାକୁ ୭୦ରୁ ୮୦ କିଲୋମିଟର ବେଗରେ ବହିବ ପବନ

ଅତି ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ବୁଲ୍‌ବୁଲ୍‌’। ପାରାଦୀପଠାରୁ ଏହା ୩୧୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆସୁଛି ‘ବୁଲ୍‌ବୁଲ୍‌। ଆଉ କିଛି ସମୟରେ ଉତ୍ତର ଦିଗ ମୁହାଁ ହୋଇ ଗତି କରିବ ବାତ୍ୟା।

ଉତ୍ତର ଦିଗ ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ ବାତ୍ୟା। ୯ ତାରିଖ ମଧ୍ୟରାତ୍ରୀରେ ବାତ୍ୟା ପଶ୍ଚିମବଙ୍ଗର ସାଗର ଆୟଲାଣ୍ଡ ଏବଂ ବାଂଲାଦେଶର କ୍ଷେପୁପୁରା ମଝିରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା। ଲ୍ୟାଣ୍ଡଫଲ୍‌ କରିବା ବେଳେ ଏହା ଅତି ଭୟଙ୍କର ରୂପ ଧାରଣ କରିବ।

ବର୍ଷାର ପରିମାଣ କେତେ?

ଓଡ଼ିଶା ପ୍ରତି ବାତ୍ୟା ବୁଲ୍‌ବୁଲ୍‌ର ବିଶେଷ ବିପଦ ନାହିଁ। ହେଲେ ଧାମରା ଉପକୂଳରୁ ମାତ୍ର ୧୦୦ କିଲୋମିଟର ଦୂରରେ ବାତ୍ୟା ଅତିକ୍ରମ କରିବାର ଥିବାରୁ ୫ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ପବନ ହେବାର ମଧ୍ୟ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ କହିଛନ୍ତି।

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବିଶେଷକରି ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ କମ୍‌ ରହିବ।

ଆସନ୍ତା କାଲି ଅର୍ଥାତ୍‌ ଶନିବାର ବି ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀରେ ଆଜି ବର୍ଷା ହେବ। କିନ୍ତୁ ଆସକାଲି ପୁରୀରେ ବର୍ଷାର ପରିମାଣ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

କ’ଣ ରହିବ ପବନର ବେଗ?

ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଉପକୂଳ ଓଡ଼ିଶାରେ ଏବେ ୩୫ରୁ ୪୦ କିଲୋମିଟର ବେଗରେ ପବନ ବହୁଛି। ଏହା ବଢ଼ି ୫୫ କିଲୋମିଟର ହେଉଛି। ଶନିବାର ସକାଳୁ ପବନର ବେଗ ବଢ଼ିପାରେ ବୋଲି ହବିବୁର ରେହମାନ ସୂଚନା ଦେଇଛନ୍ତି।

ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ଆବଶ୍ୟକସ୍ଥଳେ ଏହା ୯୦ କିଲୋମିଟରକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୦ ତାରିଖ ପୂର୍ବାହ୍ଣ ପର୍ଯ୍ୟନ୍ତ ବର୍ଷା, ପବନ ଲାଗି ରହିବ। ଏହାପରେ ବର୍ଷା, ପବନ ଧିରେ ଧିରେ କମିବ।

Comment