ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି। ତେବେ ଓଡ଼ିଶାରେ ଏହାର କ’ଣ ପ୍ରଭାବ ରହିବ ତାକୁ ନେଇ ଓଡ଼ିଶାଲାଇଭ୍‌ରେ ପଢ଼ନ୍ତୁ ବାତ୍ୟା ସମ୍ପର୍କରେ ତାଜା ଖବର।

ପାରାଦୀପଠାରୁ ୨୨୦ କିଲୋମିଟର ଦୂରରେ ବାତ୍ୟା ‘ବୁଲବୁଲ’। ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଚାଲିଛି ବାତ୍ୟା। ଶନିବାର ମଧ୍ୟ ରାତ୍ରୀ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବ। ପଶ୍ଚିମବଙ୍ଗ-ବାଂଲାଦେଶର ସୁନ୍ଦରବନରେ ‘ବୁଲବୁଲ’ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ। ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ଷାର ପରିମାଣ କେତେ?

ଓଡ଼ିଶା ପ୍ରତି ବାତ୍ୟା ବୁଲ୍‌ବୁଲ୍‌ର ବିଶେଷ ବିପଦ ନାହିଁ। ହେଲେ ଧାମରା ଉପକୂଳରୁ ମାତ୍ର ୧୦୦ କିଲୋମିଟର ଦୂରରେ ବାତ୍ୟା ଅତିକ୍ରମ କରିବାର ଥିବାରୁ ୫ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ପବନ ହେବାର ମଧ୍ୟ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ କହିଛନ୍ତି।

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବିଶେଷକରି ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ କମ୍‌ ରହିବ।

ଆସନ୍ତା କାଲି ଅର୍ଥାତ୍‌ ଶନିବାର ବି ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀରେ ଆଜି ବର୍ଷା ହେବ। କିନ୍ତୁ ଆସକାଲି ପୁରୀରେ ବର୍ଷାର ପରିମାଣ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Comment