ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି। ତେବେ ଓଡ଼ିଶାରେ ଏହାର କ’ଣ ପ୍ରଭାବ ରହିବ ତାକୁ ନେଇ ଓଡ଼ିଶାଲାଇଭ୍‌ରେ ପଢ଼ନ୍ତୁ ବାତ୍ୟା ସମ୍ପର୍କରେ ତାଜା ଖବର।

ତୀବ୍ର ହେଲା ବାତ୍ୟା ‘ବୁଲବୁଲ୍‌’। ଏବେ ଘଣ୍ଟାକୁ ୧୮ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଚାଲିଛି ବାତ୍ୟା। ଫଳରେ ବାତ୍ୟା ଧାର୍ଯ୍ୟ ସମୟ ପୂର୍ବରୁ ଲ୍ୟାଣ୍ଡପଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନର ତାଜା ସୂଚନା ଅନୁଯାୟୀ, ଆସନ୍ତାକାଲି ମଧ୍ୟ ରାତ୍ରୀରେ ବାତ୍ୟା ‘ବୁଲବୁଲ’ ସ୍ଥଳ ଭାଗକୁ ଛୁଇଁବ। ତେବେ ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସୁନ୍ଦରବନ ମୁହାଁ ବାତ୍ୟା ବୁଲ୍‌ବୁଲ୍‌

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍‌’ ଏବେ ବାତ୍ୟା ରୁପ ନେଇ ପଶ୍ଚିମବଙ୍ଗ-ବାଲାଂଦେଶ ଆଡ଼କୁ ମାଡ଼ି ଚାଲିଛି। ବର୍ତ୍ତମାନର ତାଜା ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଘଣ୍ଟାକୁ ୧୮ କିଲୋମିଟର ବେଗରେ ବୁଲ୍‌ବୁଲ୍‌ ସ୍ଥଳଭାଗ ଆଡ଼କୁ ମାଡ଼ି ଚାଲିଛି। ଏହା ପଶ୍ଚିମବଙ୍ଗର ସୁନ୍ଦରବନଠାରେ ଲ୍ୟାଣ୍ଡପଲ୍‌ କରିବ।

ଶନିବାର ମଧ୍ୟ ରାତ୍ରୀରେ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଏବଂ ବାଂଲାଦେଶର ଖେପୁପୁରା ମଧ୍ୟରେ ସୁନ୍ଦରବନରେ ବାତ୍ୟା ବୁଲ୍‌ବୁଲ୍‌ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ।

ଗୋପାଳପୁରଠାରୁ ୨୯୪ କିଲୋମିଟର ଦୂରରେ ବୁଲ୍‌ବୁଲ୍‌

ବାତ୍ୟା ‘ବୁଲ୍‌ବୁଲ’ର ଆଖି ବର୍ତ୍ତମାନ ଓଡ଼ିଶାର ଗୋପାଳପୁରଠାରୁ ୨୯୪ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୮ କିଲୋମିଟର ବେଗରେ ଏହା ସୁନ୍ଦରବନ ଆଡ଼କୁ ମାଡ଼ି ଚାଲିଛି।

ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗର ସୁନ୍ଦରବନଠାରେ ଲ୍ୟାଣ୍ଡଫଲ୍‌ କରିବ। ଫଳରେ ଓଡ଼ିଶା ପାଇଁ ଏତେ ବିପଦ ନଥିବା ପାଣିପାଗ ବିଭାଗ କହିଛି। ହେଲେ ରାଜ୍ୟର ଉତ୍ତର ଉପକୂଳ ଅଞ୍ଚଳରେ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ବାତ୍ୟା ପ୍ରଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ତେବେ ବାତ୍ୟା ସ୍ଥଳ ଭାଗ ଆଡ଼କୁ ମୁହାଁଇଲେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବାତ୍ୟା ଫଳରେ ୯ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Comment