ଓଡ଼ିଶାଲାଇଭ୍ ବ୍ୟୁରୋ

  • ପାରାଦୀପ, ଜଗତସିଂହପୁର ଓ ଅସ୍ତରଙ୍ଗରେ ବର୍ଷା ଆରମ୍ଭ
  • ପରାଦୀପଠାରୁ ୩୯୦ କି.ମି. ଦୂରରେ ବାତ୍ୟା ବୁଲ୍‌ବୁଲ୍‌ କେନ୍ଦ୍ରୀଭୂତ
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ ଟିମ୍‌ ସଜାଗ

ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ବାତ୍ୟା ରୂପ ନେଇ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଅଭିମୁଖେ ମୁହାଁଇଛି। ପାରାଦୀପଠାରୁ ଏବେ ଏହା ପ୍ରାୟ ୩୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଏହା ଗତି କରୁଛି। ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି।

ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଜଗତସିଂହପୁରର କିଛି ଅଞ୍ଚଳ, ପାରାଦୀପ ଏବଂ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ପବନର ବେଗ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

୯ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କଟକ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

୧୦ ତାରିଖରେ ‘ବୁଲ୍‌ବୁଲ୍‌’  ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଅନୁମାନ କରଯାଉଛି। ବାତ୍ୟାର ଭୟ ନଥିଲେ ବି ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ରାଜ୍ୟରେ ଓଡ୍ରାଫ ଓ ଏନ୍‌ଡିଆରଏଫ୍‌ ଟିମ୍‌ ସଜାଗ ରହିଛନ୍ତି।

Comment