ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। ହିନ୍ଦୁ ଓ ମୁସ୍‌ଲିମ୍‌ ପକ୍ଷଙ୍କ କଥା ଶୁଣିବା ପରେ ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟ ଏହି ବହୁ ପ୍ରତୀକ୍ଷିତ ମାମଲାର ରାୟ ସଂରକ୍ଷିତ ରଖିଥିଲେ।

ତେବେ ହିନ୍ଦୁ ଏବଂ ମୁସ୍‌ଲିମ୍‌ ପକ୍ଷ ସୁପ୍ରିମକୋର୍ଟକୁ କ’ଣ କହିଥିଲେ ଜାଣନ୍ତୁ?

ହିନ୍ଦୁ ପକ୍ଷ କ’ଣ କହିଥିଲେ?

  • ଭଗବାନ ରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା।
  • ରାମ ହେଉଛନ୍ତି ଦେଶର ସାଂସ୍କୃତିକ ପୁରୁଷ।
  • ଯେଉଁଠି ମସ୍‌ଜିଦ୍‌ ଥିଲା ତାହା ହିଁ ହେଉଛି ରାମଙ୍କ ଜନ୍ମଭୂମି।
  • ବିଷ୍ଣୁଙ୍କ ସପ୍ତମ ଅବତାର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ରାମଙ୍କ ପ୍ରାଚୀନ ମନ୍ଦିର ଭଙ୍ଗାଯାଇ ମସ୍‌ଜିଦ୍‌ ନିର୍ମାଣ କରାଯାଇଥିଲା।
  • ରାମ ଜନ୍ମଭୂମି ସମ୍ପର୍କରେ ପଦ୍ମ ପୂରାଣ ଏବଂ ସ୍କନ୍ଦ ପୂରାଣରେ ସବିଶେଷ ତଥ୍ୟ ରହିଛି।
  • ୧୫୨୮ରେ ବାବରଙ୍କ ସେନାପତି ମୀର ୱାକି ମନ୍ଦିର ଭାଙ୍ଗି ଜୋର୍‌ ଜବରଦସ୍ତ ମସଜିଦ୍‌ ନିର୍ମାଣ କରିଥିବାର ପ୍ରମାଣ ଅଛି।
  • ଏଏସ୍‌ଆଇ ରିପୋର୍ଟରେ କୁହାଯାଇଛି ଯେ ବିବାଦୀୟ ମସ୍‌ଜିଦ୍‌ ତଳେ ବିଶାଳ ମନ୍ଦିରର ପ୍ରମାଣ ରହିଛି।
  • ୧୮୮୫ରେ ଫୈଜାବାଦ୍‌ର ତତ୍କାଳୀନ ଜିଲ୍ଲା ଜଜ୍‌ ଶୁଣାଣି କରି କହିଥିଲେ ଯେ ୧୫୨୮ରେ ଏହି ସ୍ଥାନରେ ହିନ୍ଦୁ ଧର୍ମସ୍ଥଳକୁ ଭାଙ୍ଗି ମସ୍‌ଜିଦ୍‌ ନିର୍ମାଣ କରାଯାଇଛି। ହେଲେ ଏହା ସାଢ଼େ ତିନି ଶହ ବର୍ଷ ତଳର ଘଟଣା ହୋଇଥିବାରୁ ଏଥିରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ।

କ’ଣ ଥିଲା ମୁସ୍‌ଲିମ୍‌ ପକ୍ଷଙ୍କ ଯୁକ୍ତି?

  • ଅଯୋଧ୍ୟାରେ ରାମ ଜନ୍ମ ହୋଇଛନ୍ତି ଆମେ ଏହାକୁ ଅସ୍ୱୀକାର କରୁନୁ। କିନ୍ତୁ ମସ୍‌ଜିଦ୍‌ ଯେଉଁଠି ଥିଲା ତାହା ରାମ ଜନ୍ମଭୂମି ଏହାର କୌଣସି ଆଧାର ନାହିଁ।
  • ୧୫୨୮ରେ ବାବର୍‌ ଯେଉଁଠି ମସଜିଦ୍‌ ନିର୍ମାଣ କରିଥିଲେ ତାହା ପୂର୍ବରୁ ଖାଲି ସ୍ଥାନ ଥିଲା। ମନ୍ଦିର ଭାଙ୍ଗି ମସ୍‌ଜିଦ୍‌ ନିର୍ମାଣ କରିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ।
  • ଏଏସ୍‌ଆଇକୁ ଯେଉଁ ମନ୍ଦିରର ଅବଶେଷ ମିଳିଥିବା କୁହାଯାଉଛି ତାହା ମନ୍ଦିରର ନହୋଇ ଇଦ୍‌ଗାଇର ହୋଇଥାଇପାରେ। ବିବାଦୀୟ ଜମି ଖୋଳା ହେବା ସମୟରେ ଯେଉଁ ମୂର୍ତ୍ତି ମିଳିଥିଲା ତାହା ଖେଳାଣା ହୋଇଥାଇପାରେ।
  • ବିବାଦୀୟ ଜମିରୁ କଳାକୃତି ଖୋଦିତ ପଥର ଖମ୍ବ ମିଳିଥିବାରୁ ଏଠାରେ ମନ୍ଦିର ଥିବା କୁହାଯାଉଛି। ହେଲେ ଏହି ଖମ୍ବ କେଉଁଠୁ ଆସିଲା ଏବଂ କିଏ ଆଣିଲା ତାର କିଛି ପ୍ରମାଣ ନାହିଁ।
  • ବିବାଦୀୟ ଜମିରେ ୧୯୪୯ ଡିସେମ୍ବର ୨୨ ଓ ୨୩ ତାରିଖ ରାତିରେ ସ୍ୱୟଂ ରାମଲାଲା ଆବିର୍ଭାବ ହୋଇଥିବା ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ମନଗଢ଼ା।
  • ସେହି ରାତିରେ ନିମୋହି ଆଖଡାର ସାଧୁ ମସ୍‌ଜିଦ୍‌ରେ ପ୍ରବେଶ କରି ମୂର୍ତ୍ତି ରଖିଥିଲେ।
  • ଆରମ୍ଭରୁ ଜମିର ମାଲିକାନା ମୁସଲମାନଙ୍କ ପାଖରେ ରହିଥିଲା। ହିନ୍ଦୁମାନଙ୍କୁ କେବଳ ରାମଙ୍କୁ ପୂଜାର୍ଚ୍ଚନା କରିବା ଅନୁମତି ଦିଆଯାଇଥିଲା।

Comment