ଓଡ଼ିଶାଲାଇଭ୍ ବ୍ୟୁରୋ

ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା। ଶନିବାର ମଧ୍ୟ ରାତ୍ରୀ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବ। ତେବେ ପଶ୍ଚିମବଙ୍ଗ-ବାଂଲାଦେଶର ସୁନ୍ଦରବନରେ ‘ବୁଲବୁଲ’ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ହେଲେ ବାତ୍ୟା ପ୍ରଭାବରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି।

ବାତ୍ୟା ବୁଲବୁଲ ପ୍ରଭାବରୁ ଏବେଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ଉପକୂଳ ଅଞ୍ଚଳରେ ଝିପିଝିପି ବର୍ଷା ହେଉଥିବା ବେଳେ ପବନ ମଧ୍ୟ ବହିବାରେ ଲାଗିଛି। ତେବେ ସୁରକ୍ଷା ଦୃଷ୍ଟିରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ମଧ୍ୟ କରାଯାଉଛି।

ଜଗତସିଂହପୁରରେ ୩୨୦ ଲୋକଙ୍କୁ ସ୍ଥାନାନ୍ତର

ଓଡ଼ିଶାରେ ଜଗତସିଂହପୁର ଜିଲ୍ଲାକୁ ବାତ୍ୟାର ମୁଖଶାଳା ବୋଲି କୁହାଯାଇପାରେ। ତେବେ ଜଗତସିଂହପୁର ଜିଲ୍ଲାରେ ବାତ୍ୟାର ପ୍ରଭାବକୁ ଆଶଙ୍କା କରି ତଳିଆ ଉପକୂଳ ଅଞ୍ଚଳରୁ ୩୨୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ଏମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଇ ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି।

ଭଦ୍ରକ ପାଇଁ ହେଲ୍‌ପଲାଇନ ନମ୍ବର ଜାରି

ବାତ୍ୟାର ପ୍ରଭାବକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କ ସହାୟତା ପାଇଁ ହେଲ୍‌ପଲାଇନ ନମ୍ବର ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବର ୬୭୮୪-୨୫୧୮୮୧ ଜାରି ହୋଇଛି। ସେହିପରି ଭଦ୍ରକ ପୋଲିସ ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବର ୧୦୦ ଏବଂ ୬୭୮୪୨୫୦୦୦୭ ନମ୍ବର ଜାରି ହୋଇଛି।

କେନ୍ଦ୍ରାପଡ଼ାରେ ବଢୁଛି ପବନର ବେଗ

ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ତ୍ତମାନ ଝିପି ଝିପି ବର୍ଷା ହେବାରେ ଲାଗିଲାଣି। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ବେଗ ଧିରେ ଧିରେ ବଢ଼ିବା ଦେଖାଦେଇଛି। ସମୁଦ୍ରକୂଳିଆ ଅଞ୍ଚଳରେ ଲୋକମାନଙ୍କୁ ସତର୍କ ଜାରି କରାଯାଇଛି। ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍‌’ ଏବେ ବାତ୍ୟା ରୁପ ନେଇ ପଶ୍ଚିମବଙ୍ଗ-ବାଲାଂଦେଶ ଆଡ଼କୁ ମାଡ଼ି ଚାଲିଛି। ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ବୁଲ୍‌ବୁଲ୍‌ ସ୍ଥଳଭାଗ ଆଡ଼କୁ ମାଡ଼ି ଚାଲିଛି। ଏହା ପଶ୍ଚିମବଙ୍ଗର ସୁନ୍ଦରବନଠାରେ ଲ୍ୟାଣ୍ଡପଲ୍‌ କରିବ।

ଶନିବାର ମଧ୍ୟ ରାତ୍ରୀରେ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଏବଂ ବାଂଲାଦେଶର ଖେପୁପୁରା ମଧ୍ୟରେ ସୁନ୍ଦରବନରେ ବାତ୍ୟା ବୁଲ୍‌ବୁଲ୍‌ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ।

Comment