ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଦେଖିପାରିବେ ଓଡ଼ିଆ ବାୟୋପିକ୍‌ ‘ତୁଳସୀ ଅପା’।

ତୁଳସୀ ଅପା ହେଉଛି ପ୍ରଥମ ଓଡ଼ିଆ ବାୟୋପିକ୍‌ ଫିଲ୍ମ। ଦିବଙ୍ଗତ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅମିୟ ପଟ୍ଟନାୟକଙ୍କ ଏହା ହେଉଛି ଶେଷ ଚଳଚ୍ଚିତ୍ର। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଅନୁପମ ପଟ୍ଟନାୟକ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ତୁଳସୀ ଅପା ଫିଲ୍ମକୁ ଏବେ ବିଶ୍ଵର ସମସ୍ତ ଦର୍ଶକ ଦେଖିବାର ସୁଯୋଗ ପାଇବେ। ସେହିପରି ଯେଉଁ ଦର୍ଶକ ଏହି ଫିଲ୍ମକୁ ଆମାଜନ ପ୍ରାଇମ୍‌ରେ ଦେଖି ନାହାନ୍ତି, ସେମାନେ ଆମାଜନ୍‌ ପ୍ରାଇମ୍‌ ମାଧ୍ୟମରେ ଦେଖିପାରିବେ।

ଓଡ଼ିଶାର ଆଦିବାସୀ ନେତ୍ରୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀକୁ ନେଇ ୨୦୧୫ରେ ନିର୍ମିତ ହୋଇଥିବା ଏହି ଫିଲ୍ମ ୬ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ସହ ତେହରାନ, ବେଙ୍ଗାଲୁରୁ, କୋଲକାତାରେ ଅଫିସିଆଲ ଏଣ୍ଟ୍ରି ଭାବେ ପ୍ରଦର୍ଶିତ ହୋଇସାରିଛି। ଶିମଲା ଚଳଚ୍ଚିତ୍ର ଉତ୍ସବରେ ମଧ୍ୟ ଏହା ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଥିଲା।

ଏଥିରେ ନବାଗତ ବର୍ଷା ନାୟକ ତୁଳସୀ ମୁଣ୍ଡାଙ୍କ ଭୂମିକାରେ ଅଭିନୟ କରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଥିଲେ। ବିଶିଷ୍ଟ ସଙ୍ଗୀତଜ୍ଞ ପଙ୍କଜ ଜାଲ ‘ତୁଳସୀ ଅପା’ର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିବା ବେଳେ ପ୍ରେମାଞ୍ଜନ ପରିଡ଼ା, ଚୌଧୁରୀ ବିକାଶ ଦାସ, ଜୟପ୍ରକାଶ (ଟିଲୁ) ଦାସ, ମଧୁସ୍ମିତା, ଲୋଚନୀ ବାଗ୍‌, ମମତା ପଣ୍ଡା, ସୁଜିତ ପାଇକରାୟଙ୍କ ନିଖୁଣ ଓ ପ୍ରଭାବୀ ଅଭିନୟ କରିଛନ୍ତି।

ଅର୍ଜୁନ ଜେନା ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇଥିବା ବେଳେ ଚିନ୍ମୟ ଦାସପଟ୍ଟନାୟକ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। ଫିଲ୍ମରେ ମୋଟ୍‌ ୪ଟି ଗୀତ ରହିଛି।

Comment