ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପକୂଳ ଓଡ଼ିଶାରେ ପଡ଼ିଛି ବୁଲ୍‌ବୁଲ୍‌ର ପ୍ରଭାବ। ଓଡ଼ିଶାକୁ ନଛୁଇଁ ମଧ୍ୟ ଛାପ ଛାଡ଼ିଦେଇଛି ବୁଲ୍‌ବୁଲ୍‌। ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା। ଏହି ଦୁଇ ଜିଲ୍ଲାରେ ବଡ଼ବଡ଼ ଗଛ ଉପୁଡ଼ିଯିବା ସହ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି।

ଭଦ୍ରକ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଧାମରା ବାସୁଦେବପୁର, ଚାନ୍ଦବାଲି, ଚୂଡ଼ାମଣି, ଚନ୍ଦନପାଳ ଓ କଶିଆ ଆଦି ଅଞ୍ଚଳରେ ୯୦ କିଲୋମିଟର ବେଗରେ ପବନ ବହିବା ସହ ଘର ଦ୍ଵାରା ଭାଙ୍ଗି ଯାଇଛି। ପବନରେ ବଡ଼ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବାରୁ ଯାତୟତ ବାଧାପ୍ରପ୍ତ ହୋଇଛି। ଅନେକ ଗାଁ ଗହଳିକୁ ମଧ୍ୟ ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଛି।

ଚାନ୍ଦବାଲି ବ୍ଲକରୁ ୪୦୦, ବାସୁଦେବପୁର ବ୍ଲକରୁ ୨୦ ଜଣଙ୍କ ସମେତ ମୋଟ ୪୨୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟା ପ୍ରଭାବରେ କୌଣସି ଜୀବନହାନୀ ଘଟି ନଥିଲେ ମଧ୍ୟ ଜିଲ୍ଲାରେ ଧାନଚାଷ ଅଧିକ ପ୍ରଭାବିତ ହୋଇଛି।

ସେହିପରି ବାଲେଶ୍ଵରରେ ମଧ୍ୟ ଭୟଙ୍କର କୋପ ଦେଖାଇଛି ବୁଲ୍‌ବୁଲ୍‌। ଏହାର ପ୍ରଭାବରେ ଜିଲ୍ଲାରେ ୭୪ କିଲୋମିଟର ବେଗରେ ପବନ ବହିବା ସହ ଅନେକ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି। ଏହାସହ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୩୫୪ ମିମି ବର୍ଷା ରେକର୍ଡ କରାଯାଇଛି।

ଜିଲ୍ଲାରେ ୯୭୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ଭୋଗରାଇ, ବାଲିଆପାଳ, ଜଳେଶ୍ଵର, ରେମୁଣା, ବାହାନଗା, ବସ୍ତା, ନୀଳଗିରି ଓ ଔପଦା ଅଞ୍ଚଳରେ ଘର ଭାଙ୍ଗିଯିବା ସହ ଗଛ ମଧ୍ୟ ଭାଙ୍ଗିଯାଇଛି। ବିଜୁଳି ଖୁଣ୍ଟ ମଧ୍ୟ ଭାଙ୍ଗିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି।

Comment