ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୁପ୍ରିମକୋର୍ଟରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ
  • ଆର୍‌ଟିଆଇ ପରିସରଭୁକ୍ତ ହେଲା ସିଜେଆଇ ଅଫିସ୍‌
  • ପାଞ୍ଚ ଜଣିଆ ଖଣ୍ଡପୀଠ ଶୁଣାଇଲେ ରାୟ
  • ସୁପ୍ରିମକୋର୍ଟ କହିଲେ, ‘‘ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ହେଉଛି ପବ୍ଲିକ ଅଥରିଟି’’

ଐତିହାସିକ ଅଯୋଧ୍ୟା ମାମଲାର ରାୟ ଶୁଣାଇବା ପରେ ସୁପ୍ରିମକୋର୍ଟ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଏଣିକି ସୂଚନା ଅଧିକାର ଆଇନ୍ ପରିସରରେ ଆସିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ ଖନ୍ନା, ଜଷ୍ଟିସ୍‌ ଏନ୍‌ ଭି ରମନା, ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗତ ଏପ୍ରିଲ ୪ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

ସୁପ୍ରିମକୋର୍ଟ କହିଛନ୍ତି, ‘‘ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ହେଉଛି ପବ୍ଲିକ ଅଥରିଟି ବା ସାଧାରଣ ପ୍ରତିଷ୍ଠାନ। ଏହି କାର୍ଯ୍ୟାଳୟ ସୂଚନା ଅଧିକାର ଆଇନର ପରିସରରେ ରହିବ। ନ୍ୟାୟିକ ସ୍ୱାଧୀନତା ବିଚାରପତିଙ୍କ ବିଶେଷ ଅଧିକାର ନୁହେଁ, ଏହା ତାଙ୍କର ଉତ୍ତର ଦାୟିତ୍ୱ।’’

ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ ଏଣିକି କଲେଜିୟମ୍‌ର ସବୁ ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ ସ୍ଥାନ ପାଇବ।

୨୦୦୭ରେ ସୂଚନା ଅଧିକାର କର୍ମୀ ସୁଭାଷ ଚନ୍ଦ୍ର ଅଗ୍ରୱାଲ ବିଚାରପତିମାନଙ୍କ ସମ୍ପତ୍ତି ଜାଣିବା ପାଇଁ ସୂଚନା ଅଧିକାର ଆଇନର ସହାୟତା ନେଇଥିଲେ। ହେଲେ ଏ ସମ୍ପର୍କରେ ତଥ୍ୟ ଦେଇ ହେବ ନାହିଁ ବୋଲି ମନା କରାଯାଇଥିଲା। ପରେ ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା।

ଦିଲ୍ଲୀ ହାଇକୋର୍ଟ ମାମଲାର ଶୁଣାଣି କରି ବିଚାରପତିଙ୍କ ସମ୍ପତ୍ତି ତଥ୍ୟ ଦେବାକୁ ରାୟ ଦେଇଥିଲେ। ହେଲେ ଏହାକୁ ୨୦୧୦ରେ ସୁପ୍ରିମକୋର୍ଟର ଜେନେରାଲ ସେକ୍ରେଟାରୀ ଓ କେନ୍ଦ୍ରୀୟ ଲୋକ ସମ୍ପର୍କ ଅଧିକାରୀ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ।

Comment