ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଯାନ-୨ରେ ଯେଉଁ ତ୍ରୁଟି ରହିଥିଲା ତାକୁ ସୁଧାରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ‘ଚନ୍ଦ୍ରଯାନ-୩’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୨୦ରେ ଚନ୍ଦ୍ରପୃଷ୍ଠରେ ଲାଣ୍ଡର ଅବତରଣ କରିବାକୁ ଇସ୍ରୋ ଉଦ୍ୟମ ଜାରି ରଖିଛି।

ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି। ତିରୁବନନ୍ତପୁରମ୍‌ର ବିକ୍ରମ ସାରାଭାଇ ମହାକାଶ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଏସ୍‌ ସୋମନାଥ ଏହି କମିଟିର ନେତୃତ୍ୱ ନେଉଛନ୍ତି। ଚନ୍ଦ୍ରଯାନ-୩ ସମ୍ପର୍କିତ ସମସ୍ତ ରିପୋର୍ଟ ଏହି କମିଟି ଗଠନ କରିବ।

ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘‘କମିଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି। ୨୦୨୦ ଶେଷ ସୁଦ୍ଧା ଏହି ମିଶନ ସଫଳ ହେବାକୁ ସମସ୍ତ ଉଦ୍ୟମ କରାଯାଉଛି। ଚନ୍ଦ୍ରଯାନ-୩ ଲଞ୍ଚିଙ୍ଗ୍‌ ପାଇଁ ଆସନ୍ତା ବର୍ଷ ନଭେମ୍ବର ମାସ ହେଉଛି ଭଲ ସମୟ। ଏଥର ରୋବର୍‌, ଲାଣ୍ଡର ଏବଂ ଲାଣ୍ଡିଂର ସମସ୍ତ ପ୍ରକ୍ରିୟ ଉପରେ ଧ୍ୟାନ ଦିଆଯିବ।’’

ଚନ୍ଦ୍ରଯାନ-୨ ସଫଳତାର ସହ ଉତ୍‌କ୍ଷେପଣ ହୋଇଥିଲା। ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଲାଣ୍ଡିଂ କରିବାର ଥିଲା। ହେଲେ ଅବତରଣ ସମୟରେ ଇସ୍ରୋ ବୈଜ୍ଞାନିକମାନଙ୍କ ସହ ଲାଣ୍ଡର ବିକ୍ରମର ସମ୍ପର୍କ କଟିଗଲା। ଫଳରେ ଏହି ମିଶନ ସଫଳ ହୋଇ ନଥିଲା।

Comment