ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏବେ ମୁଖ୍ୟତଃ ତିନି ଦଳ ଶିବସେନା, ଏନ୍‌ସିପି ଓ କଂଗ୍ରେସ ବାଉଳା ହେଉଛନ୍ତି। କେମିତି ମହାରାଷ୍ଟ୍ରରେ ସରକାର ଗଠନ କରିବେ ତାକୁ ନେଇ ତିନି ଦଳ ଭିତରେ ମାରାଥନ ଆଲୋଚନା ଚାଲିଛି।

ବୁଧବାର ଦିନ ଏହି ତିନି ଦଳର ନେତାମାନେ ଏକାଠି ହୋଇଥିଲେ। ମହାରାଷ୍ଟ୍ର ଜନତାଙ୍କ ପାଇଁ ଏହି ତିନି ଦଳ ଏକ ଡ୍ରାଫ୍ଟ ତିଆରି କରିଥିବା ଜଣାପଡ଼ିଛି। କୃଷି ଋଣ ଛାଡ଼, ଯୁବକଙ୍କୁ ନିଯୁକ୍ତି, ଫସଲ ବୀମା ଯୋଜନାର ସମୀକ୍ଷା, ଛତ୍ରପତି ଶିବାଜୀ ମହାରାଜ ଏବଂ ବି ଆର୍‌ ଆମ୍ବେଦକରଙ୍କ ସ୍ମାରକ ଭଳି ପ୍ରସଙ୍ଗକୁ ନେଇ ଏହି ଡ୍ରାଫ୍ଟ ତିଆରି ହୋଇଛି।

ଏବେ ଏହି ଡ୍ରାଫ୍ଟ ତିନି ଦଳର ମୁଖ୍ୟଙ୍କ ପାଖକୁ ପଠାଯିବ। ତିନି ଦଳର ମୁଖ୍ୟ ସବୁଜ ସଙ୍କେତ ଦେବା ପରେ ସରକାର ଗଠନର ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି।

ଏହି ଡ୍ରାଫ୍ଟ ତିଆରି ପାଇଁ ଏନ୍‌ସିପି ପକ୍ଷରୁ ବୁଧବାର ଏକ କମିଟି ଗଠନ କରାଯାଇଥିଲା। ଏଥିରେ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ, ପୃଥ୍ୱୀରାଜ ଚୌହ୍ୱାନ, ବାଲା ସାହେବ ଥୋରାତ୍‌, ମାଣିକରାଓ ଠାକ୍‌ରେ କମିଟିରେ ରହିଥିଲେ। ସେହିପରି ଏନ୍‌ସିପିର ଜୟନ୍ତ ପାଟିଲ୍‌, ଅଜିତ ପାୱାର, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଏବଂ ନବାବ ମଲିକଙ୍କ ନାଁ ରହିଥିଲା।

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସହିତ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଆଲୋଚନା ପରେ ଏହି କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ନଛିଣ୍ଡିବାରୁ ଶିବସେନା ଓ ବିଜେପି ଭିତରେ ୩୦ ବର୍ଷର ସମ୍ପର୍କ ଭାଙ୍ଗି ଯାଇଥିଲା। ବିଜେପି ଏକୁଟିଆ ସରକାର ଗଠନ ପାଇଁ ଅସାମର୍ଥ୍ୟ ପ୍ରକାଶ କରିବା ପରେ ରାଷ୍ଟ୍ରପତି ଶିବସେନାକୁ ଡାକିଥିଲେ। ହେଲେ ଶିବସେନା ସରକାର ଗଠନ ପାଇଁ ଏନ୍‌ସିପି ଓ କଂଗ୍ରେସର ସହଯୋଗ ଲୋଡ଼ିଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ଭିତରେ କଂଗ୍ରେସ ନିଷ୍ପତ୍ତି ନେଇ ନପାରିବାରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

Comment