ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୌହାଟି ହାଇକୋର୍ଟ ଜଜ୍‌ରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳର ଆଜି ଶେଷଦିନ। ନଭେମ୍ବର ୧୭ରେ ସେ ଅବସର ନେବେ।

ପ୍ରାୟ ୧୩ ମାସ ଧରି ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଦାୟିତ୍ୱରେ ଥିବା ଜଷ୍ଟିସ ଗୋଗୋଇ ତାଙ୍କ କାର୍ଯ୍ୟକାଳ ଭିତରେ ସେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି।

ଜଷ୍ଟିସ ଗୋଗାଇ ୧୯୫୪, ନଭେମ୍ବର ୧୮ରେ ଆସାମରେ ଜନ୍ମ ହୋଇଥିଲେ। ତାଙ୍କ ବାପା କେଶବ ଚନ୍ଦ୍ର ଗୋଗୋଇ କଂଗ୍ରେସର ଜଣେ ବଡ଼ ନେତା ଥିଲେ। ମାତ୍ର ୨ ମାସ ପାଇଁ ୧୯୮୨ରେ ଆସାମର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ। ଆସାମର ଡନ୍‌ ବାସ୍କୋରେ ସ୍କୁଲରେ ପଢ଼ା ସାରିଥିଲେ। ଏହାପରେ ସେ ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍‌ କଲେଜରେ ଇତିହାସ ସମ୍ମାନରେ ଗ୍ରାଜୁଏସନ ଶେଷ କରିଥିଲେ। ଗ୍ରାଜୁଏସନ ପରେ ଜଷ୍ଟିସ ଗୋଗୋଇ ଦିଲ୍ଲୀ ୟୁନିଭର୍ସିଟିରୁ ଲ’ ଡିଗ୍ରି ହାସଲ କରିଥିଲେ।

୧୯୭୮ରୁ ସେ ଓକିଲାତି ଆରମ୍ଭ କରିଥିଲେ। ଗୌହାଟି ହାଇକୋର୍ଟରେ ସେ ଅଭ୍ୟାସ ଆରମ୍ଭ କରିଥିଲେ। ବିଭିନ୍ନ ମାମଲାରେ ସେ ଗୌହାଟି ହାଇକୋର୍ଟରେ ଦୀର୍ଘଦିନ ଯାଏଁ ଓକିଲାତି କରିଥିଲେ। ୨୦୦୧, ଫେବ୍ରୁଆରି ୨୮ରେ ତାଙ୍କୁ ସେଠାରେ ସ୍ଥାୟୀ ଜଜ୍‌ ଭାବେ ନିଯୁକ୍ତି ମିଳିଥିଲା।

୨୦୧୦ରେ ଜଷ୍ଟିସ୍‌ ଗୋଗୋଇଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ଟ୍ରାନ୍ସଫର୍‌ କରାଯାଇଥିଲା। ୨୦୧୧ରେ ତାଙ୍କୁ ମୁଖ୍ୟ ନ୍ୟାୟଧୀଶ ଭାବେ ସେଠାରେ ନିଯୁକ୍ତି ମିଳିଥିଲା। ଏହାପରେ ୨୦୧୨ ଏପ୍ରିଲ ୨୩ରେ ଜଷ୍ଟିସ୍‌ ଗୋଗୋଇଙ୍କୁ ସୁପ୍ରିମକୋର୍ଟର ଜଜ୍‌ ଭାବେ ନିଯୁକ୍ତି ମିଳିଲା।

ଏହାପରେ ୨୦୧୮, ଅକ୍ଟୋବର ୩ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା। ତାଙ୍କ ପୂର୍ବରୁ ଜଷ୍ଟିସ୍‌ ଦୀପକ ମିଶ୍ର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ।

ଜଷ୍ଟିସ ଗୋଗୋଇଙ୍କ ପରେ ଏବେ ଏସ୍‌ ଏ ବୋବଡେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବେ।

LEAVE A REPLY

Please enter your comment!
Please enter your name here