ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବ୍ଶୀଘ୍ର ବିଜେଡି ଆରମ୍ଭ କରିବ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା। ତିନି ମାସ ଭିତରେ ଏହି ପ୍ରକ୍ରିୟା ଶେଷ ହେବ। ଫେବ୍ରୁଆରି ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଆଳି ବିଧାୟକ ପ୍ରତାପ ଦେବଙ୍କୁ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ। ତେବେ ବିଜେଡିର କେବେଠୁ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ସେ ବିଷୟରେ ପ୍ରତାପଙ୍କଠାରୁ ଜାଣିବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି। ପ୍ରତାପ ସାଙ୍ଗଠନିକ ନିର୍ବାଚନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ପ୍ରତି ପଞ୍ଚାୟତ ଏବଂ ସହରାଞ୍ଚଳର ପ୍ରତି ୱାର୍ଡ ସ୍ତରରୁ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଜିଲ୍ଲା ସ୍ତରକୁ ଆସିବ। ଜିଲ୍ଲା ସ୍ତରରେ ସାଙ୍ଗଠନିକ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି କରାଯିବ। ଜିଲ୍ଲା ସ୍ତରରେ ସାଙ୍ଗଠନିକ ନିର୍ବାଚନ ଶେଷ ହେବା ପରେ ରାଜ୍ୟ ପରିଷଦ ଗଠନ କରାଯିବ। ଏହାପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ହେବା ପରେ ସଭାପତି ଚୟନ ହେବ।
‘‘ଆମେ ପ୍ରଥମେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତି କରିବୁ। ସେମାନେ ତୃଣମୂଳ ସ୍ତରରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ପାଇଁ ଅସିଷ୍ଟାଣ୍ଟ ନିର୍ବାଚନ ଅଧିକାରୀ ନିଯୁକ୍ତି କରିବେ। ଯେଉଁଦିନ ଏହି ନିଯୁକ୍ତି ଦିଆଯିବ ସେହିଦିନ ହିଁ କୁହାଯିବ ଯେ କେବେ ସେମାନେ ନିର୍ବାଚନ ପ୍ରକ୍ରିୟା ଶେଷ କରିବେ’’, କହିଛନ୍ତି ପ୍ରତୀପ ଦେବ।
ଜିଲ୍ଲା ସ୍ତରରେ ନିର୍ବାଚନ ଅଧିକାରୀ ନିଯୁକ୍ତି ହେବା ପରେ ସେମାନଙ୍କର ଏକ ବୈଠକ କରାଯିବ। ଏହି ବୈଠକରେ ସେମାନଙ୍କୁ ସାଙ୍ଗଠନିକ ନିର୍ବାଚନ ସମ୍ପର୍କରେ ସୂଚନା ଦିଆଯିବ। ନିର୍ବାଚନ କେମିତି କରାଯାଏ ସେ ସମ୍ପର୍କରେ ଅବଗତ କରାଯିବ ବୋଲି କହିଛନ୍ତି ପ୍ରତାପ ଦେବ।

















