ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ବାଲିଯାତ୍ରାରେ ଦେଖାଦେଇଥିବା ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୋଲିସ ପ୍ରତି ଘଣ୍ଟାରେ ଦେବ ଟ୍ରାଫିକକୁ ନେଇ ଅପ୍‌ଡେଟ୍‌। ଟୁଇଟର ଏବଂ କଣ୍ଟ୍ରୋଲରୁମ୍‌ରୁ ଏହି ସୂଚନା ପାଇପାରିବେ ଲୋକେ।

କଟକ ବାଲିଯାତ୍ରାରେ ଦିନକୁ ଦିନ ଜମୁଛି ଲୋକଙ୍କ ଭିଡ଼। ରବିବାର ଲୋକଙ୍କ ଭିଡ଼ ଏତେ ହୋଇଯାଇଥିଲା ଯେ, ବାଲିଯାତ୍ରା ଟ୍ରାଫିକ୍‌ ପୂରା ଅଣନିଶ୍ୱାସୀ ହୋଇଯାଇଥିଲା। ଏହି ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ୍‌ ପୋଲିସ ନୂଆ ଫର୍ମୁଲା ଆପଣେଇଛି। ଆଜିଠାରୁ ପ୍ରତି ଘଣ୍ଟାରେ ଲୋକଙ୍କୁ ଟ୍ରାଫିକ୍‌ ଓ ଭିଡ଼କୁ ନେଇ ମିଳିବ ଅପ୍‌ଡେଟ୍‌।

ଚଳିତବର୍ଷ ବାଲିଯାତ୍ରା ପାଇଁ ୧୦ଟି ପାର୍କିଂ ଲଟ୍‌ର ବ୍ୟବସ୍ଥା କରାଯାଇଛି। ଏହି ୧୦ଟି ପାର୍କିଂ ସ୍ଥାନ ମଧ୍ୟରୁ କେଉଁ ସ୍ଥାନରେ କେତେ ଭିଡ଼ ଓ କେଉଁଟି ଖାଲି ଅଛି, ସେନେଇ ସୂଚନା ପାଇପାରିବେ ଲୋକେ। କମିସନରେଟ୍‌ ପୋଲିସର ଟୁଇଟର ଏବଂ କଂଣ୍ଟ୍ରୋଲରୁମ୍‌ରୁ ଏହି ଅପଡେଟ୍‌ ମିଳିପାରିବ।

ରବିବାର ଭିଡ଼ ନିୟନ୍ତ୍ରଣ କରିବାରେ ନାକେଦମ୍ ହୋଇଥିଲା ପୋଲିସ। ବାଲିଯାତ୍ରା ମେଳା ପଡ଼ିଆକୁ ସଂଯୋଗ କରୁଥିବା ସବୁ ରାସ୍ତାର ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ମୋଟରର ଲମ୍ବା ଧାଡ଼ି। ଗାଡ଼ି ହାତେ ଗଡ଼ିଲେ ୧୦ମିନିଟ୍ ଗୋଟିଏ ଜାଗାରେ ଛିଡ଼ା ହୋଇ ରହୁଥିଲା। ଭିଡ଼ ଏମିତି ଯେ, ଚାଲିକରି ଯିବା ବି ଥିଲା ମୁସ୍କିଲ୍। ପରିସ୍ଥିତି ଏମିତି ହେଲା ଟ୍ରାଫିକ୍ ନିୟନ୍ତ୍ରଣ ସମ୍ଭବ ହେଲାନାହିଁ। ସନ୍ଧ୍ୟା ନ ହେଉଣୁ ବାଲିଯାତ୍ରାର ସମସ୍ତ ପାର୍କିଂ ଷ୍ଟାଣ୍ଡ୍ ଭର୍ତ୍ତି ହୋଇ ଯାଇଥିଲା। ଏଭଳି ସମୟ ଆସିଲା ଯେଉଁଠି ପୋଲିସ୍ ଲୋକଙ୍କୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଛାଡ଼ିଲାନାହିଁ। ଲୋକେ ରାସ୍ତାରେ ଅଟକି ରହିଲେ। ଦୀର୍ଘ ସମୟ ରାସ୍ତାରେ ଫସି ରହିବା ଯୋଗୁଁ ଦୂରଦୂରାନ୍ତରୁ ଆସିଥିବା ଲୋକେ ବାଲିଯାତ୍ରା ନ ଦେଖି ଫେରିବାକୁ ବାଧ୍ୟ ହୋଇଯାଇଥିଲେ।

ବାରଙ୍ଗ, ତ୍ରିଶୁଳିଆ ରାସ୍ତାରେ ଅଧିକ ଭିଡ଼ ହେଇଥିଲା। ତେଣୁ ଏନଏଚ୍-୧୬ ରାସ୍ତାରେ ଯିବାକୁ ଆଡଭାଇଜରି ଜାରି କରିଥିଲା କମିସନରେଟ୍ ପୋଲିସ।

ତେବେ ଆଜି ସୋମବାର ହୋଇଥିବାରୁ ଗତକାଲି ଭଳି ଭିଡ଼ ହେବ ନାହିଁ ବୋଲି ଆଶା ରଖିଛି କମିସନରେଟ୍ ପୋଲିସ।

Comment