ଓଡ଼ିଶାଲାଇଭ୍ ବ୍ୟୁରୋ

ଧାନକିଣାକୁ ନେଇ ତେଜିଲା ଚାଷୀ ଆନ୍ଦୋଳନ। ସରକାରଙ୍କ ନୂଆ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ସୋମବାର ପଶ୍ଚିମ ଓଡ଼ିଶାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସରକାର ଏଥର ଚାଷୀଙ୍କଠାରୁ ଖରିଫ୍ ଧାନ ସଂଗ୍ରହ କରିବାକୁ ଟୋକନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଯାହାକୁ ନେଇ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ହଟାଇବା ପାଇଁ ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି।

ସୋମବାର ସମ୍ବଲପୁର କଚେରୀ ପଡ଼ିଆରେ ଏନେଇ ଚାଷୀମାନଙ୍କର ଏକ ବୈଠକ ବସିଥିଲା। ଏଥିରେ ଚାଷୀ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ସରକାର କୌଣସି ସଠିକ୍ ନିଷ୍ପତ୍ତି ନନିଅନ୍ତି ତେବେ  ଜିଲ୍ଲାପାଳ ଅଫିସ୍ ପରିସରରେ ଧାନ ରଖି ପ୍ରତିବାଦ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି। ଏପରିକି ମଙ୍ଗଳବାର ଜିଲ୍ଲାର ସମସ୍ତ ବିଧାୟକଙ୍କ ଘର ଓ ରାଜପଥରେ ଧାନବସ୍ତା ରଖି ପ୍ରତିବାଦ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି।

ଅନ୍ୟପଟେ ରାଜ୍ୟ ସରକାର ଏହି ବିଷୟକୁ ନେଇ ଜରୁରୀ ବୈଠକ ଡକାଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି।

LEAVE A REPLY

Please enter your comment!
Please enter your name here