ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମୁଁ ଜିଲାପି ନଖାଇଲେ ଯଦି ଦିଲ୍ଲୀର ପ୍ରଦୂଷଣ କମିଯିବ, ତାହେଲେ ମୁଁ ଜିଲାପି ଖାଇବା ଛାଡ଼ିଦେବି” ଏକଥା କହିଛନ୍ତି ପୂର୍ବତନ କ୍ରିକେଟର ତଥା ପୁର୍ବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର।

ନିକଟରେ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ସାଂସଦ ଗୌତମ ଗମ୍ଭୀର ଉପସ୍ଥିତ ନଥିଲେ। ସେହିଦିନ ତାଙ୍କୁ ଭାରତ-ବାଂଲାଦେଶ ମ୍ୟାଚ୍‌ରେ କମେଣ୍ଟ୍ରୀ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଇନ୍ଦୋରରେ ସେ ଜିଲାପି ଖାଉଥିବା ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ତେବେ ଉଚ୍ଚସ୍ତରୀୟ ବୈଠକରେ ଉପସ୍ଥିତ ନଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି ଗମ୍ଭୀରକୁ ଟାର୍ଗେଟ୍‌ କରିଥିଲା।

ଅନ୍ୟପକ୍ଷରେ ରବିବାର ଦିଲ୍ଲୀର ବିଭିନ୍ନ ସ୍ଥାନରେ ଗମ୍ଭୀର ନିଖୋଜ ଥିବା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା। ପୋଷ୍ଟରରେ ଲେଖାଥିଲା କି, “ଆପଣ ଗୌତମ ଗମ୍ଭୀରଙ୍କୁ କେଉଁଠି ଦେଖିଛନ୍ତି କି? ଶେଷ ଥର ପାଇଁ ତାଙ୍କୁ ଇନ୍ଦୋରରେ ଜିଲାପି ଖାଉଥିବାରୁ ଦେଖାଯାଇଥିଲା। ସେବେଠାରୁ ସେ ନିଖୋଜ ଅଛନ୍ତି।”

ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେବାକୁ ଯିବା ସମୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗମ୍ଭୀର ଆମ୍‌ ଆଦ୍‌ମୀ ପାର୍ଟିକୁ ତେରଛା ବାଣ ମାରିଥିଲେ। ମୁଁ ଜିଲାପି ନଖାଇବା ଦ୍ୱାରା ଯଦି ଦିଲ୍ଲୀର ପ୍ରଦୂଷଣ କମିଯିବ, ତେବେ ଖାଇବା ଛାଡ଼ିଦେବି ବୋଲି ଗମ୍ଭୀର କହିଥିଲେ।

ଗମ୍ଭୀର ଆହୁରି ମଧ୍ୟ କହିଥିଲେ,”୧୦ ମିନିଟ୍‌ରେ ମତେ ଟ୍ରୋଲ କରିବା ଆରମ୍ଭ କରିଦେଲେ। ସେତିକି ସମୟରେ ଯଦି ପ୍ରଦୂଷଣ ଉପରେ କାମ କରିଥାନ୍ତେ, ତେବେ ଦିଲ୍ଲୀବାସୀ ଠିକ୍‌ ଭାବେ ନିଶ୍ୱାସ ନେଇ ପାରିଥାନ୍ତେ।”

Comment