କୃତିକା ଶତପଥୀ

ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ଯେ କେହିବି ଜୀବନରେ ସଫଳତା ପାଇପାରିବ ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ୧୬ ବର୍ଷର ବାଳକ ପିଣ୍ଟୁ ନାୟକ। କଲେଜ ମାଟି ମାଡ଼ିନଥିବା ଏପରି ଜଣେ ବାଳକ ନିଜ ଇଚ୍ଛା ଶକ୍ତି ବଳରେ ପୁରୁଣା ଅଦରକାରୀ ଇଲେକ୍ଟ୍ରୋନିକ୍ ଜିନିଷରେ ତିଆରି କରିଛନ୍ତି ଇନ୍‌ଭର୍‌ଟର।

ବରଗଡ଼ ଭେଡ଼େନ୍ ବ୍ଲକ୍ ଦେଶଭଟଲୀ ଗ୍ରାମର ଜଣେ ୧୬ ବର୍ଷର ବାଳକ ହେଉଛନ୍ତି ପିଣ୍ଟୁ ନାୟକ। ୪ ବର୍ଷ ତଳେ ନିଜର ବାପାଙ୍କୁ ହରାଇବା ପରେ ପିଣ୍ଟୁଙ୍କର ପରିବାର କହିଲେ ନିଜ ମା ଓ ବଡ଼ଭାଇ। ଆର୍ଥିକ ଅନଟନ ଭିତରେ ପରିବାର ଚଳାଇବାର ଦାୟିତ୍ୱ ମା’ ଓ ଭାଇଙ୍କ ଉପରେ ରହିଥିବାରୁ ପିଣ୍ଟୁଙ୍କ ପାଠ ପଢ଼ାରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ। ପିଣ୍ଟୁ ମାଟ୍ରିକ ପାସ୍ କରିବା ପୂର୍ବରୁ ନିଜ ପାଠ ପଢ଼ା ବନ୍ଦ କରିଦେଇଥିଲେ। ଏହାପରେ ନିଜ ବଡ଼ଭାଇଙ୍କ ସହ ମିଶି ଗୋଟିଏ ଇଲେକ୍ଟ୍ରି ଦୋକାନରେ କାମ କରୁଛନ୍ତି ପିଣ୍ଟୁ।

ଏହାରି ମଧ୍ୟରେ ସେ ଗୋଟିଏ ଚତ୍ମକାର କାମ କରିଦେଖାଇଛନ୍ତି। ପୁରୁଣା ଅଦରକାରୀ ଇଲେକ୍ଟ୍ରୋନିକ୍ ଜିନିଷରେ ନିଜେ ଗୋଟିଏ ଇନଭର୍‌ଟର ତିଆରି କରିଛନ୍ତି। ଏହି ଇନଭର୍‌ଟରଟି ଲଗାତାର ୨ ଘଣ୍ଟା ଧରି ଗୋଟିଏ ବିଦ୍ୟୁତ୍ ବଲବ୍‌କୁ ବିଦ୍ୟୁତ ଯୋଗାଇପାରିବ। ଲାଇନ୍ କଟିଯିବା ପରେ ଏହା ବେଶ୍ ସହାୟକ ହୋଇପାରିବ ବୋଲି ପିଣ୍ଟୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ତାଙ୍କୁ ଉନ୍ନତ ମାନର ସାମଗ୍ରୀ ଯୋଗାଇ ଦିଆଯିବ ତେବେ ସେ ଫ୍ୟାନ୍ ଓ ଟିଭିକୁ ବିଦ୍ୟୁତ ଯୋଗାଇପାରୁଥିବା ଇନଭର୍‌ଟର ମଧ୍ୟ ତିଆରି କରିପାରିବେ। ପିଣ୍ଟୁ ତାଙ୍କ ଜୀବନରେ ଇଲେକ୍ଟ୍ରିସିଟିରେ ଆଇଟିଆଇ ପଢ଼ିବାକୁ ଇଚ୍ଛା ରଖିଛନ୍ତି। ଆଇଟିଆଇ ପଢ଼ିଲେ ସେ ଆହୁରି ଅଧିକ ଏଭଳି ନୂଆ ନୂଆ ସାମଗ୍ରୀ ତିଆରି କରିପାରିବେ ବୋଲି ବିଶ୍ୱାସ ରଖିଛନ୍ତି।

Comment