ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀରର ବର୍ତ୍ତମାନର ପରିସ୍ଥିତି ବିଷୟରେ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୁଧବାର କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ କଶ୍ମୀରରେ ଇଣ୍ଟରନେଟ୍ ସୁବିଧା ବନ୍ଦ ହେବାକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଥିଲେ।

ଏହାର ଉତ୍ତରରେ ଅମିତ ଶାହ କହିଛନ୍ତି,“ସଠିକ୍ ସମୟରେ କଶ୍ମୀରକୁ ଇଣ୍ଟରନେଟ୍ ସୁବିଧା ମିଳିବ। ବର୍ତ୍ତମାନ ପାଇଁ ଏହାକୁ ବନ୍ଦ କରାଯାଇଛି। ଯେତେବେଳେ ଦେଶକୁ ସୁରକ୍ଷା ଦେବା ଓ ଆତଙ୍କବାଦର ପ୍ରଶ୍ନ ଉଠୁଛି , ସେ ସମୟରେ କଶ୍ମୀରରେ ଇଣ୍ଟରନେଟ୍ ସୁବିଧା ଜରୁରୀ ନୁହେଁ। ”

ଏହାସହ ଅମିତ ଶାହ ଆହୁରି ମଧ୍ୟ କହିଥିଲେ ଯେ, ବର୍ତ୍ତମାନ କଶ୍ମୀରରେ ସ୍ଥିତି ସାମାନ୍ୟ ରହିଛି। ସ୍କୁଲ, କଲେଜ ସବୁ ପୂର୍ବପରି ଖୋଲାରହୁଛି। ଦୋକାନଠାରୁ ଆରମ୍ଭ କରି ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି ପୂର୍ବଭଳି ସାମାନ୍ୟ ଅବସ୍ଥା ରହିଛି। ୫ ଅଗଷ୍ଟ ପରଠାରୁ ପୋଲିସ୍ ଗୁଳିରେ କୌଣସି ବ୍ୟକ୍ତି ପ୍ରାଣ ହରାଇନାହାଁନ୍ତି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ୍।

ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ କଶ୍ମୀରରେ ସାଢ଼େ ତିନି ମାସ ଇଣ୍ଟରନେଟ୍ ବନ୍ଦ ରହିବାକୁ ନେଇ ପ୍ରଶ୍ନ ଉଠାଇଥିଲେ।

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ସେଠାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ସେଠାରେ ଇଣ୍ଟରନେଟ୍ ସୁବିଧା ବନ୍ଦ କରିଦିଆଯାଇଥିଲା। ଏହି ଘଟଣାକୁ ସାଢ଼େ ତିନି ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କଶ୍ମୀରରେ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରାଯାଇନାହିଁ।

Comment