ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପୋଲିସର ନୂଆ ଡିଜି ହେଲେ ଆଇପିଏସ୍‌ ଅଫିସର ଅଭୟ। ଅଭୟ ଏବେ କେନ୍ଦ୍ର ଡେପୁଟେସନରେ ଅଛନ୍ତି। ସେ ଡେପୁଟେସନରୁ ଆସିବା ପର୍ଯ୍ୟନ୍ତ ଡିଜି ଦାୟିତ୍ୱ ସତ୍ୟଜିତ ମହାନ୍ତି ସମ୍ଭାଳିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ପୋଲିସ ଡିଜି ଥିବା ବି କେ ଶର୍ମାଙ୍କୁ ଗୃହ ବିଭାଗର ଓଏସ୍‌ଡି କରାଯାଇଛି। ପୋଲିସ ଡିଜି ଥିବା ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇବା ପରେ ବି କେ ଶର୍ମାଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର। ଶ୍ରୀ ଶର୍ମା ଏପ୍ରିଲ ୮ରେ ଦାୟିତ୍ୱ ନେଇଥିଲେ। ତାଙ୍କୁ ପୂର୍ଣ୍ଣକାଳୀନ ଡିଜି ଭାବେ ଦାୟିତ୍ୱ ଦିଆଯାଇ ନଥିଲା।

ବି କେ ଶର୍ମା ଅଗ୍ନିଶମ ଓ ହୋମଗାଁ ଡିଜି ସମେତ ଓଡ଼ିଶା ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ।

ସେହିପରି ରାଜ୍ୟ ସରକାର ଅଗ୍ନିଶମ ଏବଂ ହୋମଗାର୍ଡ ଡିଜି ପଦରୁ ବି କେ ଶର୍ମାଙ୍କୁ ହଟାଇ ଦେଇଛନ୍ତି। ବରିଷ୍ଠ ଆଇପିଏସ୍‌ ଅଫିସର ସୁନୀଲ ରାୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ନିଯୁକ୍ତି ଦିଆଯାଇଛି।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦ ପୂରଣ ପାଇଁ କେନ୍ଦ୍ର ଲୋକସେବା ଆୟୋଗ ପକ୍ଷରୁ ତିନି ଜଣିଆ ପ୍ୟାନେଲ ପ୍ରସ୍ତୁତ କରାଯାଇଥିଲା। ମଙ୍ଗଳବାର ତିନି ଜଣ ଆଇପିଏସ୍‌ ଅଫିସରଙ୍କ ନାଁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଥିଲା। ଏହି ସମ୍ଭାବନା ତାଲିକାରେ ଅଭୟ, ପ୍ରଦୀପ କାପୁର ଓ ବିଜୟ ଶର୍ମାଙ୍କ ନାମ ରହିଥିଲା। ଏ ସମସ୍ତେ ୧୯୮୬ ବ୍ୟାଚର ଅଫିସର। ଏହି ତିନି ଜଣଙ୍କ ଭିତରୁ ରାଜ୍ୟ ସରକାର ଅଭୟଙ୍କ ନାଁରେ ମୋହର ମାରିଛନ୍ତି।

Comment