ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୋଦୀ-ଶରଦ ପାୱାରଙ୍କ ଭେଟ୍‌ଘାଟ୍‌କୁ ନେଇ ଗରମ ହେଲା ରାଜନୀତି ପାଣିପାଗ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଏନ୍‌ସିପି ମୁଖ୍ୟ ଶରଦ ପାୱାର। ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ରେ ମୋଦୀ-ପାୱାର ଭେଟ୍‌ଘାଟ୍‌ ହୋଇଛି। ଏହି ଭେଟ୍‌ଘାଟ୍‌କୁ ନେଇ ଏବେ ରାଜନୀତି କରିଡରରେ ଚର୍ଚ୍ଚା ଜୋର୍‌ ଧରିଛି। ମୋଦୀଙ୍କୁ ପାୱାର କାହିଁକି ଭେଟିଲେ ତାକୁ ନେଇ କାରଣ ଖୋଜା ଚାଲିଛି।

କୁହାଯାଉଛି ମହାରାଷ୍ଟ୍ରର ଚାଷୀ ସମସ୍ୟାକୁ ନେଇ ପାୱାର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଚାଷୀ ସମସ୍ୟାରେ କେନ୍ଦ୍ର ହସ୍ତକ୍ଷେପ କରିବାକୁ ପାୱାର ଦାବି କରିଛନ୍ତି। ହେଲେ ରାଜନୀତି ପଣ୍ଡିତ ଏହି ଭେଟ୍‌ଘାଟ୍‌କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ରାଜ୍ୟସଭାରେ ଏନ୍‌ସିପିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବାର ମାତ୍ର ଦୁଇ ଦିନ ପରେ ଏହି ଭେଟ୍‌ଘାଟ୍‌ ହୋଇଥିବାରୁ ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି।

ପ୍ରାୟ ମାସେ ହେଲା ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସସ୍‌ପେନ୍ସ ଲାଗି ରହିଛି। କିଏ ସରକାର ଗଠନ କରିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। ଏପଟେ ଶିବସେନା ସରକାର ଗଠନ କରିବା ପାଇଁ ଏନ୍‌ସିପି ଓ କଂଗ୍ରେସର ସମର୍ଥନ ଲୋଡୁଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଶରଦ ପାୱାର ମୋଦୀଙ୍କୁ ଭେଟିବା ରାଜନୀତି କରିଡରରେ ନୂଆ ସମୀକରଣ ସୃଷ୍ଟି କରିଛି।

ଗୋଟିଏ ରାଜନୀତିକ ଦଳର ମୁଖ୍ୟ ହିସାବରେ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କିଛି ପ୍ରତିବନ୍ଧକ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ଭେଟି ଯେକୌଣସି ନେତା ନିଜ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ପ୍ରସ୍ତାବ ଦେଇପାରିବେ। ହେଲେ ପାୱାର ଏମିତି ଏକ ସମୟରେ ମୋଦୀଙ୍କୁ ଭେଟିଛନ୍ତି ଯାହାକୁ ନେଇ ରାଜନୀତି ଉଠୁଛି ପଡୁଛି।

ମୋଦୀଙ୍କୁ ଭେଟି ପାୱାର ତିନି ପୃଷ୍ଠିଆ ଦାବିପତ୍ର ଦେଇଛନ୍ତି। ନାସିକ୍‌ରେ ଚାଷୀଙ୍କ ଆତ୍ମହତ୍ୟା, ନାଗପୁରର କଟନ୍‌ ଚାଷୀଙ୍କ ସମସ୍ୟା ଆଦି ପ୍ରସଙ୍ଗରେ ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପାୱାର। ହେଲେ ଏହି ସମସ୍ୟା ଏବେର ନୁହେଁ ବୋଲି କୁହାଯାଉଛି। ଗତ ୧୦ ମାସ ଭିତରେ ନାସିକ୍‌ରେ ୪୪ ଜଣ ଚାଷୀ ଆତ୍ମହତ୍ୟା କଲେଣି। ଏହି ୧୦ ମାସ ଭିତରେ କେବେ ବି ପାୱାର ଚାଷୀ ସମସ୍ୟାକୁ ନେଇ ମୋଦୀଙ୍କୁ ଭେଟି ନାହାନ୍ତି। ସେହିପରି ପିଆଜ ଏବଂ ଟମାଟୋ ଫସଲ ଉତ୍ପାଦନ କମିଥିବାରୁ ଦର ଉଚ୍ଚା ରହିଛି। ଏହା ସମସ୍ୟା ମଧ୍ୟ ତିନି ମାସର। ତିନି ମାସ ଭିତରେ ପାୱାର ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ନାହାନ୍ତି।

ହେଲେ ରାଜ୍ୟସଭାରେ ସବୁ ସାଂସଦଙ୍କ ଆଗରେ ଏନ୍‌ସିପିକୁ ମୋଦୀ ପ୍ରଶଂସା କରିବା ପରେ ଏହି ଭେଟ୍‌ଘାଟ୍‌ ହୋଇଥିବାରୁ ରାଜନୀତି ପାଣିପାଗ ଉଷ୍ମ ରହିଛି। ଚାଷୀ ପ୍ରସଙ୍ଗକୁ ଆଗରେ ରଖି ପାୱାର ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ମୋଦୀଙ୍କ ସହ ଆଲୋଚନା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment