ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇର ଏକ ସ୍କୁଲ ମ୍ୟାଚରେ ଚିଲ୍ଡ୍ରେନ୍ସ ୱେଲଫେୟାର୍ ସେଣ୍ଟର ସ୍କୁଲର ସମସ୍ତ ଖେଳାଳି ବିନା କୌଣସି ରନ୍ କରି ଆଉଟ୍ ହୋଇଯାଇଛନ୍ତି।
କ୍ରିକେଟ୍ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଦଳର ସମସ୍ତ ଖେଳାଳି ଶୂନରେ ଆଉଟ୍ ହୋଇଯାଇଛନ୍ତି। ଫଳରେ ଦଳଟି ତା’ର ବିପକ୍ଷ ଦଳଠାରୁ ୭୫୪ ରନରେ ପରାଜୟ ବରଣ କରିଛି।
ମୁମ୍ବାଇର ଅଣ୍ଡର-୧୬ ହରିସ୍ ସିଲ୍ଡ କପ୍ର ଗୋଟିଏ ମ୍ୟାଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମୁମ୍ବାଇର ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ୍ ସ୍କୁଲ ଓ ଚିଲଡ୍ରେନ୍ସ ୱେଲଫେୟାର୍ ସେଣ୍ଟର ସ୍କୁଲ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟି କରି ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲ ୭୬୧ ରନ୍ କରିଥିଲା।
ଏହାର ଜବାବରେ ବ୍ୟାଟିଂ କରିଥିବା ଚିଲ୍ଡ୍ରେନ୍ସ ୱେଲଫେୟାର୍ ସେଣ୍ଟର ସ୍କୁଲର ସବୁ ଖେଳାଳି ଶୂନରେ ଆଉଟ୍ ହୋଇଯାଇଛନ୍ତି। ଏହି ସ୍କୁଲର କୌଣସି ବି ଖେଳାଳି ଗୋଟିଏ ରନ୍ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ। ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ୍ ସ୍କୁଲର ବୋଲରମାନେ କେବଳ ଅତିରିକ୍ତ ୭ ରନ୍ ଦେଇଥିଲେ। ଯାହାଦ୍ୱାରା ଅଲ୍ଆଉଟ୍ ହେବା ବେଳକୁ ଚିଲ୍ଡ୍ରେନ୍ସ ୱେଲଫେୟାର୍ ସେଣ୍ଟର ସ୍କୁଲର ରନ୍ ମାତ୍ର ୭ ରନ୍ ହିଁ ଥିଲା। ଏହାଦ୍ୱାରା ଚିଲ୍ଡ୍ରେନ୍ସ ୱେଲଫେୟାର୍ ସେଣ୍ଟର ସ୍କୁଲ ୭୫୪ ରନରେ ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ୍ ସ୍କୁଲଠାରୁ ପରାସ୍ତ ହୋଇଛି।
ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲ ତାର କ୍ରିକେଟ ପ୍ରତିଭା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା ଏହି ସ୍କୁଲରେ ପାଠ ପଢ଼ିଥିଲେ।


















