ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଲା ବାରବାଟି ଷ୍ଟାଡିୟମର ପୁନଃରୁଦ୍ଧାର କାର୍ଯ୍ୟ। ବାତ୍ୟା ଫନିରେ ଷ୍ଟାଡିୟମର ଫ୍ଲଡ୍ ଲାଇଟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୁରୁବାର ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ଡିସେମ୍ବର ୨୨ରେ ବାରବାଟି ଷ୍ଟାଡିୟମଠାରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ ଖେଳାଯିବ। ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ମୁଣ୍ଡରେ ଚିନ୍ତା। ବାତ୍ୟା ଫନିରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବାରବାଟି ଷ୍ଟାଡିୟମ୍‌ କେମିତି ତା’ର ପୂର୍ବ ସ୍ଥିତିକୁ ଫେରାଇ ଅଣାଯିବ ସେନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ବାତ୍ୟା ଫନିରେ ବାରବାଟି ଷ୍ଟାଡିୟମର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଫ୍ଲଡ୍ ଲାଇଟ ଅବସ୍ଥା ବେହାଲ୍ ହୋଇପଡ଼ିଥିଲା। ପ୍ରାୟ ୯୦ଟି ଲାଇଟ୍ ପବନରେ ଉଡ଼ିଯାଇଥିବା ସୂଚନା ମିଳିଛି। ଅନ୍ୟ ଲାଇଟଗୁଡିକ ବର୍ଷା ଓ ପବନ ସଂସ୍ପର୍ଶରେ ଆସି ଫ୍ୟୁଜ୍ ହୋଇଥିବା ଜଣାପଡ଼ିଥିଲା। ସେହିପରି ପବନର ବେଗରେ ସମସ୍ତ ୮ଟି ଯାକ ଫ୍ଲଡ ଲାଇଟ ପୋଷ୍ଟଗୁଡିକ ହୁଗୁଳା ହୋଇଯାଇଥିଲା।

ବର୍ତ୍ତମାନ ଏହାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଫ୍ଲଡ୍ ଲାଇଟର ମରାମତି ପାଇଁ ଦେବ୍‌ ମୁସ୍କୋ କମ୍ପାନି ସହ ଓସିଏ ଚୁକ୍ତି କରିଛି। କମ୍ପାନି ପକ୍ଷରୁ ଏକ ଟେକ୍‌ନିକାଲ୍‌ ଟିମ୍‌ ପ୍ରସ୍ତୁତ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ଫ୍ଲଡ୍ ଲାଇଟ୍‌ର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏମାନଙ୍କୁ ସହଯୋଗ କରୁଛି ଫ୍ଲଡ୍ ଲାଇଟ୍‌ ବିଭାଗର କର୍ମକର୍ତ୍ତା ସହଯୋଗ କରୁଛନ୍ତି।

ତେବେ ଖୁବ୍‌ଶୀଘ୍ର ବାରବାଟି ଷ୍ଟାଡିୟମର କାର୍ଯ୍ୟକ୍ଷମ ହେବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୨୨ରେ ବାରବାଟି ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ।

Comment