ଓଡ଼ିଶାଲାଇଭ୍‌ ବ୍ୟୁରୋ  

  • କମିପାରେ ବାରବାଟୀ ଷ୍ଟାଡିୟମ୍ ଟିକଟ ସଂଖ୍ୟା
  • ବିପଦସଙ୍କୁଳ ୭ ନମ୍ବର ଗ୍ୟାଲେରି ଯାଞ୍ଚ୍ ରିପୋର୍ଟକୁ ଅପେକ୍ଷା

କଟକ: ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ ଖେଳାଯିବ। ଏନେଇ ଆଜି କଟକ ଡିସିପି ଅଖିଳେଶ୍ୱର ସିଂହ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ଷ୍ଟାଡିୟମ୍ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଛନ୍ତି। ବିଶେଷ କରି ଖେଳାଳିଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇଛି। ଉଭୟ ଅଭ୍ୟାସ ଓ ମ୍ୟାଚ ଦିନ ଖେଳାଳି ଭୁବନେଶ୍ୱରରୁ କଟକ ଆସି କିଭଳି ଫେରିବେ ସେ ଦିଗରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଡିସିପିଙ୍କ ସୂଚନା ମୁତାବକ, ଭୁବନେଶ୍ୱର ପୋଲିସ୍ ସହାୟତାରେ ଖେଳାଳି ମାନେ ଆସିବେ। କଡ଼ା ସୁରକ୍ଷା ବଳରେ ହୋଟେଲରୁ ବସ୍ ଯୋଗେ ଖେଳାଳିମାନଙ୍କୁ କଟକ ଅଣାଯିବ। କିନ୍ତୁ ଟ୍ରାଫିକ୍ ଦାୟିତ୍ୱ କଟକ ପୋଲିସ୍ ଉପରେ ନିର୍ଭର କରିବ। ଏହାଛଡା ଖେଳାଳିମାନେ ଯେତିକି ସମୟ କଟକରେ ରହିବେ ସେମାନଙ୍କ ସୁରକ୍ଷା କଟକ ପୋଲିସ୍ କାନ୍ଧରେ ରହିଛି। ଖେଳାଳିମାନେ ଜାତୀୟ ରାଜପଥରେ ଆସି ବାରବାଟୀ ଷ୍ଟାଡିୟମରେ ୧୪ନମ୍ବର ଗେଟ୍‌ରେ ପ୍ରବେଶ କରି ଡ୍ରେସିଂ ରୁମ୍‌କୁ ଯିବେ।

ସେହିପରି ଦର୍ଶକ କିଭଳି ଶୃଙ୍ଖଳିତ ଭାବେ ମ୍ୟାଚ ଦେଖି ଫେରିବେ ସେ ନେଇ ସବୁ ବ୍ୟବସ୍ଥା କରାଯିବ। ତ୍ରିସ୍ତରୀୟ ସୁରକ୍ଷା ବଳୟ ଭେଦି ଦର୍ଶକମାନେ ଗ୍ୟାଲେରୀକୁ ଆସିବେ। ସେହିପରି ଗତବର୍ଷ ନକଲି ଟିକଟକୁ ନେଇ ଯେଭଳି ଝାମେଲା ସୃଷ୍ଟି ହୋଇଥିଲା ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଏ ନେଇ ଆଜି ଡିସିପି ଓସିଏ ସମ୍ପାଦକ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଟିକଟରେ ଡିସିପିଙ୍କ ଦସ୍ତଖତ ସହିତ ବାର୍କୋଡ୍ ରହିବ। ଟିକଟ ଛାଡିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି।

ଏହାସହ ଡିସିପି ଏବଂ ଅନ୍ୟ କର୍ମଚାରୀମାନେ ବାରବାଟୀ ଷ୍ଟାଡିୟମ୍‌ରେ ବିଭିନ୍ନ ଭାଗ ବୁଲି ଦେଖିଛନ୍ତି। ବିଶେଷ କରି ଟଏଲେଟ୍, ପାଣି, ବିଦ୍ୟୁତ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ଯାଞ୍ଚ୍ କରାଯାଇଛି। ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମରେ ଫନି ଜନିତ ହୋଇଥିବା କ୍ଷୟକ୍ଷତିର କାର୍ଯ୍ୟ ଆରମ୍ଭ ହୋଇଛି।

ଆସନ୍ତା ଶୁକ୍ରବାର ଭିତରେ ଫ୍ଲଡ୍ ଲାଇଟ୍ କାମ ଶେଷ ହେବ। ଏହାପରେ ସୋମବାରଠାରୁ କର୍ପୋରେଟ ବକ୍ସ, ନ୍ୟୁ ପାଭିଲିୟନ୍, ପ୍ରେସ ବକ୍ସର କାର୍ଯ୍ୟ ଆରମ୍ଭ କରାଯିବାକୁ ଯୋଜନା ରଖାଯାଇଛି। ତେବେ ୭ ନମ୍ବର ଗ୍ୟାଲେରିକୁ ନେଇ ଲାଗି ରହିଥିବା ସସ୍ପେନ୍ସ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଫନି କ୍ଷୟକ୍ଷତି ଯୋଗୁଁ ବିପର୍ଯ୍ୟସ୍ତ ହୋଇଥିବା ଏହି ଗ୍ୟାଲେରି କାମ ଏବେ ସୁଦ୍ଧା ଆରମ୍ଭ ହୋଇନାହିଁ। ଏନେଇ କ୍ୟାଡ୍ ନାମକ ଏକ ସଂସ୍ଥାକୁ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ କୁହାଯାଇଛି। ଏହି ରିପୋର୍ଟ ସୋମବାର ଆସିବ ବୋଲି ଜଣାପଡ଼ିଛି।

ଏହାସହ ପୂର୍ତ୍ତ ବିଭାଗକୁ ମଧ୍ୟ ଓସିଏ ତରଫରୁ ପୁନର୍ବାର ଯାଞ୍ଚ୍ କରିବାକୁ କୁହାଯାଇଥିବା ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି। ତେଣୁ ଏହି ଗ୍ୟାଲେରି ଉପରେ ଟିକଟ ସଂଖ୍ୟା ନିର୍ଭର କରିବ। କାରଣ ଏହି ଗ୍ୟାଲେରିର ଦର୍ଶକ ଧାରଣ କ୍ଷମତା ହେଉଛି ୫ହଜାର ୨୮୨। ତେଣୁ ଯଦି ଗ୍ୟାଲେରି ସ୍ଥିତି ରିପୋର୍ଟ ଖରାପ ଆସେ ତେବେ ପ୍ରାୟ ୫ହଜାର ଟିକଟ କମିବାର ଯଥେଷ୍ଟ ସମ୍ଭାବନା ରହିବ।

ଅନ୍ୟପକ୍ଷରେ ଯେତିକି ଟିକଟ ରହିବ ସେଥିରୁ ପ୍ରାୟ ୨୨ହଜାର ଟିକଟ କାଉଣ୍ଟରେ ବିକ୍ରି କରାଯିବ। ତେବେ ପ୍ରଥମଥର ପାଇଁ ବାରବାଟୀ ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ଟିକଟ ଉପରେ ଜିଏସ୍‌ଟି ଦେବାକୁ ପଡ଼ିପାରେ ବୋଲି ଓସିଏ ସମ୍ପାଦକ ପ୍ରକାଶ କରିଛନ୍ତି।

Comment