ଓଡ଼ିଶାଲାଇଭ୍ ବ୍ୟୁରୋ

“ ଆଜିର ଦିନରେ ପୂର୍ବ ଅପେକ୍ଷା ପାଠକ ପାଠିକାମାନେ  ଖବରକାଗଜ ଓ ଟେଲିଭିଜନ  ଆଗ୍ରହ ଦେଖାଉନାହାନ୍ତି। ଆଜିର ସ୍ମାର୍ଟଫୋନ୍ ଯୁଗରେ ଲୋକମାନେ ସୋସିଆଲ ମିଡିଆ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ସ୍ମାର୍ଟ ଫୋନ ଭିତରେ ହିଁ ସେମାନେ ସମସ୍ତ ପ୍ରକାର ଖବର ପାଇପାରୁଛନ୍ତି”, ତୃତୀୟ ମିଡିଆ ମହାକୁମ୍ଭର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ହୋଇ କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ମିଡିଆ ମହାକୁମ୍ଭର ରବିବାର ଉଦଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ଆଉଟ-ଲୁକ୍‌ ପତ୍ରିକାର ସମ୍ପାଦକ ରୁବେନ ବାନାର୍ଜୀ ଯୋଗଦେଇ ଗଣମାଧ୍ୟମର ଛାତ୍ରଛାତ୍ରୀଙ୍କୁ ନିରପେକ୍ଷ ଓ ନୈତିକତାର ସହ କାମ କରିବାକୁ ଉପଦେଶ ଦେଇଥିଲେ।

ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଇସାନ ପାତ୍ର, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା, ଏବଂ ଏଆଇଏମସିର ପ୍ରଫେସର କେ ଜି ସୁରେଶ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗଣମାଧ୍ୟମର ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ଉପରେ ଆଲୋଚନା କରିଥିଲେ।

ଶୁକ୍ରବାର ମିଡ଼ିଆ ମହାକୁମ୍ଭର ଦ୍ୱିତୀୟ ଦିବସରେ ୮୦ରୁ ଅଧିକ ଗବେଷଣାତ୍ମକ ବିଷୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉପସ୍ଥାପନ ହୋଇଥିଲା। ତା’ ଭିତରୁ  ୬ଟି ସର୍ବୋତ୍ତମ ଗବେଷଣାକୁ ରବିବାର ପୁରସ୍କୃତ କରାଯାଇଛି। ପ୍ରଥମଥର ପାଇଁ ବିଭିନ୍ନ ବର୍ଗରେ ଏନ୍ଏମ୍‌ସି ପୁରସ୍କାର-୨୦୧୯ ପ୍ରଦାନ କରାଗଲା।

ରବିବାର ପ୍ରଥମ ଅଧିବଶନରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଭାଗର ମୁଖ୍ୟ ଯେପରିକି ଦିଲ୍ଲୀ ଏଆଇଏମ୍‌ସିର ନିର୍ଦ୍ଦେଶକ ପ୍ରଫେସର ସଜଲ ମଖାର୍ଜୀ, ପେରିୟାରି ବିଶ୍ୱବିଦ୍ୟାଳୟର ଡକ୍ଟର ଭି ନଟରାଜନ, ଜିଜିଏସଆଇ ବିଶ୍ୱବିଦ୍ୟାଳୟର ଡକ୍ଟର ଦୁର୍ଗେଶ ତ୍ରିପାଠୀ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଶିବ କେ ଉଦଗତା, ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡକ୍ଟର ଦେବ ବ୍ରତ ସିଂହ  ଓ କୋଲକାତା ଦୂରଦର୍ଶନର ପ୍ରିନ୍ସିପାଲ ସ୍ନେହାଶିଷ ସୁର ପ୍ରମୁଖ ଯୋଗ ଦେଇ ସାଇବର କମ୍ୟୁନିକେଶନ ଏବଂ ଗଣମାଧ୍ୟମର ବିଭିନ୍ନ ସୁରକ୍ଷିତ ଦିଗ ଉପରେ ଆଲୋଚନା କରିଥିଲେ।

ସେହିପରି ଦ୍ୱିତୀୟ ଅଧିବେଶନରେ ଓକ୍ସଫାମ ଇଣ୍ଡିଆର ଆଞ୍ଚଳିକ ସଞ୍ଚାଳକ ଅକ୍ଷୟ କୁମାର ବିଶ୍ୱାଳ, ମୁମ୍ବାଇର ମୁକ୍ତ ଗଣମାଧ୍ୟମ ପ୍ରତିନିଧି କଳ୍ପନା ଶର୍ମା, ମନିଷା ପାଣ୍ଡେ ଏବଂ ବିବିସିର ଓଡ଼ିଆ ପ୍ରତିନିଧି ସନ୍ଦିପ ସାହୁ ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ସଂସ୍କୃତି ଉପରେ ଡିଜିଟାଲ ମିଡିଆର ପ୍ରଭାବ ଓ ଏହାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।

Comment