ଓଡ଼ିଶାଲାଇଭ୍ ବ୍ୟୁରୋ

ବାରବାଟୀ ଦିନିକିଆ ପାଇଁ କେନ୍ଦ୍ରାଞ୍ଚଳ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ୭ ନମ୍ଵର ଗ୍ୟଲେରୀ ବ୍ୟବହାର ନକରିବାକୁ ନିଆଗଲା ନିଷ୍ପତ୍ତି।

ବାରବାଟୀ ଷ୍ଟାଡିୟମଠାରେ ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ୍ ଖେଳାଯିବ ଦିନିକିଆ ମ୍ୟାଚ। ଏନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଭାପତି ପଙ୍କଜ ଲୋଚନ ମହାନ୍ତି, ସାଧାରଣ ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ବୈଠକରେ ଭାଗ ନେଇଥିଲେ।

ତେବେ ଆଜିର ବୈଠକର ମୁଖ୍ୟ ଆଲୋଚନା ପ୍ରସଙ୍ଗ ଥିଲା ୭ ନମ୍ବର ଗ୍ୟାଲେରୀ। ବାତ୍ୟା ‘ଫନି’ ଯୋଗୁଁ ଏହି ଗ୍ୟାଲେରୀର ବ୍ୟାପକ କ୍ଷୟକ୍ଷତି ହେବା ସହ ଦୁର୍ବଳ ହୋଇପଡିଛି। ତେଣୁ ଏହାକୁ ମ୍ୟାଚ ସମୟରେ ବ୍ୟବହାର କରାଯିବ କି ନାହିଁ ସେ ନେଇ ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଲାଗି ରହିଛି। ଏଭିତରେ ପୂର୍ତ୍ତ ବିଭାଗ ଏବଂ ଏକ ଘରୋଇ ଏଜେନ୍ସି ପୃଥକ ପୃଥକ ଭାବେ ଗ୍ୟାଲେରୀ ସ୍ଥିତି ଯାଞ୍ଚ୍ କରିଛନ୍ତି। କିନ୍ତୁ ଏବେ ଯାଏଁ ରିପୋର୍ଟ ଆସିନାହିଁ। ତେଣୁ ରିପୋର୍ଟ ଯାହା ହେଉ ନା କାହିଁକି ଓସିଏ ଏ ଦିଗରେ ରିସ୍କ୍ ନେବାକୁ ଚାହୁଁନି।

ଏଣୁ ୭ ନମ୍ବର ଗ୍ୟାଲେରୀ ବ୍ୟବହାର କରାଯିବନାହିଁ ବୋଲି ନିଷ୍ପତ୍ତି ହୋଇଛି। ଯାହାଫଳରେ ଏହି ଗ୍ୟାଲେରୀର କ୍ଷମତାନୁଯାୟୀ, ୫,୨୮୨ଟି ଟିକଟ କମିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ। ବାରବାଟୀ ଷ୍ଟାଡିୟମ୍‌ ଦର୍ଶକ ଧାରଣ କ୍ଷମତା ହେଉଛି ୪୩ ହଜାର ୯୦୦। ତେଣୁ ଏଥିରୁ ପ୍ରାୟ ୫ହଜାର ଟିକଟ କମିଲେ ପାଖାପାଖି ୩୯ ହଜାର ସିଟ୍ ରହିବ। କିନ୍ତୁ ଟିକଟ କଟିବା ସତ୍ତ୍ଵେ ବି ଦର୍ଶକଙ୍କୁ ନିରାଶ କରାଯିବନାହିଁ। କାରଣ କାଉଣ୍ଟର ବିକ୍ରି ପାଇଁ ଉପଲବ୍ଧ ପ୍ରାୟ ୨୨ ହଜାର ଟିକଟରୁ ନକମାଇବାକୁ କିଛି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି।

ହେଲେ ଏଦିଗରେ ଏବେ ଯାଏଁ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ବିକଳ୍ପ ବ୍ୟବସ୍ଥା କ’ଣ ହେବ ସେ ନେଇ କିଛି ଠୋସ୍ ନିଷ୍ପତ୍ତି ନିଆଯାଇନାହିଁ। ସେହିପରି ଆଜିର ବୈଠକରେ ପାର୍କିଂଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ଖାଦ୍ୟ ମୂଲ୍ୟ ଉପରେ କଟକଣା ଲଗାଯିବ। ଗ୍ୟାଲେରୀରେ ମନଇଛା ମୂଲ୍ୟରେ ଭେଣ୍ଡର ଶୁଖିଲା ଓ ରନ୍ଧାଖାଦ୍ୟ ବିକ୍ରି କରିପାରିବେନାହିଁ। ଏନେଇ ଭେଣ୍ଡରଙ୍କୁ ଦାୟିତ୍ୱ ଦିଆଯିବା ସମୟରେ ମୂଲ୍ୟ ସ୍ଥିର କରାଯିବ।

ଷ୍ଟାଡିୟମ ନିକଟରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପିଇବା ପାଣିର ବ୍ୟବସ୍ଥା କରାଯିବ। ବାୟୋ ଶୌଚାଳୟ ଓ ମ୍ୟାଚ ସମୟରେ ଗ୍ୟାଲେରୀରେ ଓସିଏ ପକ୍ଷରୁ  ପିଇବା ପାଣିର ବ୍ୟବସ୍ଥା କରାଯିବାକୁ ଓସିଏକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ଯନ୍ତ୍ର ସହିତ ଅଗ୍ନିଶମ ଦଳ ମୁତୟନ କରାଯିବ। କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ  ଷ୍ଟାଡିୟମ ନିକଟସ୍ଥ ରାସ୍ତା ଘାଟ ସଫାସୁତୁରା ରଖିବା, ଆବଶ୍ୟକ ଲାଇଟ ଓ ଆଲୋକ ସଜା ବ୍ୟବସ୍ଥା ହେବ। ସେସୁ ପକ୍ଷରୁ ଷ୍ଟାଡିୟମ ନିକଟରେ ଓ ପାର୍କିଂ ସ୍ଥାନମାନଙ୍କରେ ଆବଶ୍ୟକ ବିଦ୍ୟୁତଶକ୍ତି ଯୋଗାଇବା ସହିତ ବିଦ୍ୟୁତ ସରବରାହରେ ଯେଭଳି ସମସ୍ୟା ନ ଉପୁଜିବ ସେ ନେଇ ପଦକ୍ଷେପ ନେବାକୁ ଆର୍ଡିସି ନିର୍ଦ୍ଦେଶ ଦେଇଛନ୍ତି।

ମ୍ୟାଚ ସମୟରେ ଆମ୍ୱୁଲାନ୍ସ ସହ ଡାକ୍ତରୀ ଦଳ ରଖାଯିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଏସସିବି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯିବା ସହ ମ୍ୟାଚ ଦିନ କଟକ ଭୁବନେଶ୍ୱର ମଧ୍ୟରେ ନିୟମିତ ଓ ବିଳମ୍ୱିତ ରାତ୍ରିରେ ବସଷ୍ଟାଣ୍ଡ୍ ଓ ରେଲୱେ ଷ୍ଟେସନକୁ ବସ୍ ଚଳା ଚଳ ବ୍ୟବସ୍ଥା କରାଯିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଷ୍ଟାଡିୟମକୁ ଯାଉଥିବା ରାସ୍ତାର ଆବଶ୍ୟକ ମରାମତି ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଆର୍ଡିସି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ସିଏମ୍ସି କମିସନର ଅନନ୍ୟା ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସତ୍ୟବ୍ରତ ଛୋଟରାୟ, କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି କ୍ରିକେଟ କିମ୍ବଦନ୍ତୀ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କପିଳଙ୍କ ସହ ଓସିଏ ପକ୍ଷରୁ ଆଲୋଚନା କରାଯାଇଥିବା ଜଣାପଡିଛି। କପିଳ କମ୍ପାନୀ ‘ଦେବ ମସ୍କୋ’ ବାରବାଟୀ ଷ୍ଟାଡିୟମ୍‌ରେ ଫ୍ଲଡ୍ ଲାଇଟ୍ ମରାମତି କାମ କରୁଛି। ମ୍ୟାଚ ପୂର୍ବରୁ ନିଜେ କପିଳ ଦେବ ବାରବାଟୀ ଷ୍ଟାଡିୟମ୍ ଆସିବେ। ଏହାସହ ତାଙ୍କୁ ମ୍ୟାଚରେ ଅତିଥି ହେବାକୁ ଅନୁରୋଧ କରାଯାଇଛି। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ଓସିଏ ତରଫରୁ ସୂଚନା ଦିଆଯାଇଛି।

୧୯ରେ ପହଞ୍ଚିବେ ଉଭୟ ଦଳ: ୨୦,୨୧ ଦୁଇ ଦିନ ଅଭ୍ୟାସ

ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ ୧୯ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ପରବର୍ତ୍ତୀ ଦୁଇ ଦିନ ଅର୍ଥାତ୍ ୨୦ ଓ ୨୧ତାରିଖ ଦିନ ଉଭୟ ଟିମ୍ ବାରବାଟୀ ଷ୍ଟାଡିୟମ୍ ଆସି ଅଭ୍ୟାସ କରିବେ। ୱେଷ୍ଟଇଣ୍ଡିଜ୍ ୯ ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଭାରତ ଅପରାହ୍‌ଣ ୨ଟା ରୁ ୫ଟା ନେଟ୍ସ କରିବେ ବୋଲି ଜଣାପଡିଛି।

ଟିକଟ ମୂଲ୍ୟ ସର୍ବନିମ୍ନ ୪୦୦, ସର୍ବାଧିକ ୮ହଜାର

ମ୍ୟାଚର ଟିକଟ ମୂଲ୍ୟ ପୂର୍ବଥର ଭଳି ଅପରିବର୍ତ୍ତିତ ରହିଛି। କିନ୍ତୁ ପ୍ରଥମଥର ଦର୍ଶକ ଟିକଟ ସହିତ ଜିଏସ୍‌ଟି ଦେବାକୁ ବାଧ୍ୟ ହେବେ। ତେବେ ଟିକଟ ମୂଲ୍ୟାନୁଯାୟୀ ସର୍ବନିମ୍ନ ୪୦୦ ଟଙ୍କା ଏବଂ ସର୍ବାଧିକ ୮ହଜାର ରହିଛି। ୧ ଓ ୩ ନମ୍ବର ଗ୍ୟାଲେରୀ ଟିକଟ ମୂଲ୍ୟ ୬୦୦, ୨ ଓ ୪ ନମ୍ବର ଗ୍ୟାଲେରୀ ୫୦୦ଟଙ୍କା, ୬ ନମ୍ବର ୪୦୦ଟଙ୍କା, ସ୍ପେଶାଲ୍ ଏନ୍‌କ୍ଲୋଜର ୩ହଜାର, ନ୍ୟୁ ପାଭିଲିୟନ୍ ୫ହଜାର, ଏସି ବକ୍ସ ୫ହଜାର ଏବଂ ପର୍ପୋରେଟ ବକ୍ସ ୮ହଜାର ଟଙ୍କା ସ୍ଥିର କରାଯାଇଛି।

Comment