ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ଵର ୨୨ରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ ଷ୍ଟାଡିୟମକୁ ପଲିଥିନ ନେଇ ପାରିବେନି ଦର୍ଶକ। ଏନେଇ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଷ୍ଟାଡିୟମକୁ ଯିବା ପୂର୍ବରୁ ଦର୍ଶକମାନଙ୍କୁ ପଲିଥିନ ଯାଞ୍ଚ କରାଯାଇ ଛଡ଼ାଯିବ।

ଅକ୍ଟୋବର ୦୧ରୁ ପୁରା ରାଜ୍ୟରେ ପଲିଥିନ ବନ୍ଦ ହୋଇଛି। ଏହାକୁ ଉଲ୍ଲଘଂନକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତଥାପି ପରିମଳକୁ ଦୃଷ୍ଟିରେ ରଖି ବାରବାଟୀକୁ ପଲିଥିନ ନଆଣିବାକୁ ନିଷ୍ପତ୍ତି ନିଆଯାଇଛି।

ବାରବାଟୀ ଦିନିକିଆରେ ମୁଖ୍ୟ ଅତିଥି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମ୍ୟାଚକୁ ଦୃଷ୍ଟିରେ ରଖି ଡିସେମ୍ଵର ୧୫ ତାରିଖ ସୁଦ୍ଧା ଷ୍ଟାଡିୟମ ନିକଟରୁ କାମ ସାରିବାକୁ ଜାଇକାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଷ୍ଟାଡିୟମ ନିକଟ ପରିମଳ ବ୍ୟାବସ୍ଥା ଉପରେ ନଜର ରଖିବ କଟକ ମହାନଗର ନିଗମ।

ବାରବାଟୀ ଷ୍ଟାଡିୟମରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନିଥର ଦିନିକିଆ ମୁକାବିଲା ହୋଇଛି। ୧୯୯୪, ୨୦୦୭ ଓ ୨୦୧୧ରେ ଏହି ମୁକାବିଲା ହୋଇଥିଲା। ଏଥିରେ ସବୁ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା।

Comment