ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଉନ୍ମୋଚନ ହୋଇଛି କବି ରୁଦ୍ର ରଂଜନ ଶେଜପଡାଙ୍କ ପ୍ରଥମ କବିତା ପୁସ୍ତକ। ବାଲେଶ୍ଵର ସମ୍ବାଦ ଭବନସ୍ଥିତ ପ୍ରକ୍ଷାଳୟରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ‘ସମ୍ବାଦ’ର ପ୍ରତିଷ୍ଠାତା ତଥା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହ ‘ବାଆଁରା’କୁ ଲୋକାର୍ପିତ କରିଥିଲେ।

ସହରର ସବୁଠୁ ସଫଳ ପ୍ରକାଶନୀ ସଂସ୍ଥା ‘ସୁବର୍ଣ୍ଣଶ୍ରୀ ପ୍ରକାଶିନୀ’ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ରାଜ୍ୟର ସୁଖ୍ୟାତ କବି ଡକ୍ଟର ଶୁଭଶ୍ରୀ ଲେଙ୍କା। ରୁଦ୍ରଙ୍କ ଶିକ୍ଷାଗୁରୁ ସୁକୁମାର ରଣା, ପ୍ରକାଶକ କବି କାଳୀପଦ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ସୌମ୍ୟ ରଞ୍ଜନ ପଟ୍ଟନାୟକ ତାଙ୍କର ଅଭିଭାଷଣରେ ରୁଦ୍ରରଂଜନଙ୍କ ଏହି କାବ୍ୟଯାତ୍ରାର ସଫଳତା କାମନା କରିବା ସହ ଏହି ଉନ୍ମୋଚନ ଉତ୍ସବରେ ଉପସ୍ଥିତ ହୋଇପାରିଥିବାରୁ ଖୁସି ବ୍ୟକ୍ତ କରିଥିଲେ।

ଏନେଇ ସେ କହିଲେ, “କବିତା ଲେଖିବାର ସାମର୍ଥ୍ୟ ସମସ୍ତଙ୍କ ପାଖରେ ନଥାଏ। ଯିଏ କବିତା ଲେଖିବାର ସାମର୍ଥ୍ୟ ରଖେ ସେ ଈଶ୍ଵରଙ୍କ ବରଦାନ। ନହେଲେ ଏହା ଅସମ୍ଭବ। କବିତା ଲେଖୁ ଲେଖୁ କବି ଭିତରେ ଅହଙ୍କାର ପ୍ରବେଶ କଲେ ହିଁ ବିପଦ। ଏ ଅହଙ୍କାର କବିକୁ ନଷ୍ଟ କରେ। ଏଣୁ ଏହାକୁ ପରିହାର କରି କବି ତାର ଲେଖନୀ ଓ ଈଶ୍ଵର ପ୍ରତି ସତ୍ ରହିବା ଦରକାର।“

‘ବାଆଁରା’ ପୁସ୍ତକରେ ସ୍ଥାନିତ କବିତାଗୁଡିକୁ ବିନ୍ଦୁ ବିନ୍ଦୁ ବର୍ଷା ସହ ତୁଳନା କରି ଡକ୍ଟର ଶୁଭଶ୍ରୀ ଲେଙ୍କା କହିଥିଲେ ଯେ, ଆକାରରେ ଛୋଟ ହେଲେ ମଧ୍ୟ ଏସବୁ ଭିତରେ ମହାସାଗର ସୃଷ୍ଟି କରିବାର କ୍ଷମତା ରହିଛି। ଅଳ୍ପରେ ସ୍ପଷ୍ଟ ଭାବରେ ରୁଦ୍ର ଏ କବିତା ସବୁରେ ବେଶ୍ ଅର୍ଥପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି।

ଏହି ଉତ୍ସବର ଆରମ୍ଭରେ ସମ୍ବାଦର ସାମ୍ବାଦିକ ମନୋଜ ରାଉଳ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସମ୍ବାଦ ଉତ୍ତର ଓଡିଶା ସଂସ୍କରଣ ଡିଜିଏମ୍ ଗୌତମ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରୁଦ୍ରରଂଜନଙ୍କ ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ‘ସମୁଦ୍ରର ଦରଜା’ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବରେ ସହରର ବହୁ ବିଶିଷ୍ଟ ଲେଖକ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

Comment