ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ଅଭିନେତା ବାବୁସାନ୍‌ ଭିନ୍ନ ଭିନ୍ନ ଅଭିନେତ୍ରୀଙ୍କ ସହ ସ୍କ୍ରିନ୍ ସେୟାର୍‌ କରିଛନ୍ତି। ଝିଲିକ୍, ଏଲିନା, ଶୀତଲ, ସୂରମୟୀ ଓ ଭୂମିକାଙ୍କ ଭଳି ଅଭିନେତ୍ରୀଙ୍କ ସହ ନଜର ଆସିଛନ୍ତି ବାବୁସାନ୍।

ଓଲିଉଡ଼ରେ ଏବେ ଅନୁଭବ, ଅରିନ୍ଦମ୍, ସବ୍ୟସାଚୀ, ବାବୁସାନ୍, ଆକାଶ ଓ ସମ୍ବିତଙ୍କ ଭଳି ଆଗଧାଡ଼ିର ନାୟକମାନଙ୍କ ମଧ୍ୟରୁ ସବୁଠୁ ବେଶୀ ଲୋକପ୍ରିୟ ହେଉଛନ୍ତି ବାବୁସାନ୍। ସେ ୨୦୦୯ର ରିଲିଜ୍ ହୋଇଥିବା ଫିଲ୍ମ ’ରୋମିଓ ଦ ଲଭର ବୟ’ ସିନେମାରୁ ନାୟକ ବନିଥିଲେ। ଏଥିରେ ତାଙ୍କର ନାୟିକା ସାଜିଥିଲେ ବଙ୍ଗୀୟ ଲଳନା ଲଭଲି। ହେଲେ ବାବୁସାନ୍ ଲଭଲିଙ୍କ ଯୋଡ଼ିକୁ ବିଶେଷ ପସନ୍ଦ କରିନଥିଲେ ଦର୍ଶକ। ହେଲେ ତା’ପରେ ବାବୁସାନ୍ ଯେଉଁ ନାୟିକାମାନଙ୍କ ସହ ହିଟ୍ ପେଆର୍‌ ବନାଇବାରେ ସଫଳ ହୋଇଛନ୍ତି, ଆସନ୍ତୁ ସେ କଥା ଜାଣିବା…।

ବାବୁସାନ-ଝିଲିକ୍

ବାବୁସାନ୍ ଓ ଝିଲିକ୍‌ଙ୍କ ଯୋଡ଼ିକୁ ପରଦାକୁ ପ୍ରଥମେ ଆଣିବାର ଶ୍ରେୟ ନେବେ ନିର୍ମାତା ସୀତାରାମ୍ ଅଗ୍ରୱାଲ୍  ଓ ନିର୍ଦ୍ଦେଶକ ସୁଶାନ୍ତ ମଣି। ହଁ ବାବୁସାନ୍-ଝିଲିକ୍ ଯୋଡ଼ିର ପ୍ରଥମ ଫିଲ୍ମ ହେଲା ‘ଆଖିରେ ଆଖିରେ’। ୨୦୧୪ରେ ଏହା ମୁକ୍ତିଲାଭ କରିଥିଲା। ‘ଆଖିରେ ଆଖିରେ’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ଫିଲ୍ମ ଭାବେ ପରିଗଣିତ ହୋଇଥିଲା। ସେହି ବର୍ଷ ପ୍ରଯୋଜକ ଓ ନିର୍ଦ୍ଦେଶକ ପୁଣି ବାବୁସାନ୍-ଝିଲିକଙ୍କ ଯୋଡ଼ିକୁ ନେଇ ଅନ୍ୟ ଏକ ସୁପରହିଟ୍ ଓଡ଼ିଆ ସିନେମା ‘ଲେଖୁ ଲେଖୁ ଲେଖି ଦେଲି’ ଉପହାର ଦେଇଥିଲେ ଓଡ଼ିଆ ଦର୍ଶକଙ୍କୁ।

୨୦୧୫ରେ ପୁଣି ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭାବେ ପରଦାକୁ ଆସିଥିଲେ ଝିଲିକ୍ ଫିଲ୍ମ ‘ସୁପର ମିଛୁଆ’ରେ। ସୀତାରାମ୍ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ବ୍ଲକ୍‌ବଷ୍ଟର ସିନେମା ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। କୁହାଯାଇପାରେ ଯେ ‘ସୁପର ମିଛୁଆ’ରେ ବାବୁସାନ୍ ଝିଲିକଙ୍କୁ ମିଳିଥିଲା ସବୁଠାରୁ ବେଶୀ ଦର୍ଶକଙ୍କ ଭଲ ପାଇବା। ଲଗାତର ତିନି ତିନିଟା ସୁପରହିଟ୍ ଫିଲ୍ମ ଦେଇ ୨୦୧୫ ଯାଏଁ ବାବୁସାନ୍‌ ଝିଲିକଙ୍କ ଯୋଡ଼ି ଥିଲେ ବକ୍ସ ଅଫିସରେ ନମ୍ବର ୱାନ୍। ହେଲେ ୨୦୧୬ରେ ଚିତ୍ର ବଦଳିଗଲା। ଏବର୍ଷ ବାବୁସାନ୍ ଝିଲିକ୍ ଯୋଡ଼ିଙ୍କର ଅଭିନୀତ ‘ଜବରଦସ୍ତ ପ୍ରେମିକ’ ରିଲିଜ୍ ହୋଇଥିଲା। କିନ୍ତୁ ସେଭଳି କମାଲ୍ କରିନଥିଲା ବକ୍ସ ଅଫିସରେ।

ବାବୁସାନ୍-ଶୀତଲ

ଓଲିଉଡ଼ର ଚୁଲୁବୁଲି ନାୟିକା ଶୀତଲଙ୍କ ସହ ଷ୍ଟାରସନ୍ ବାବୁସାନ୍‌ ଯୋଡ଼ି ବି ବେଶ୍ ଜମିଯାଇଛି। ବାବୁସାନ୍-ଶୀତଲ ଯୋଡ଼ିଙ୍କୁ ପରଦାରେ ପ୍ରଥମେ ଆଣିବାର କ୍ରେଡିଟ୍‌ ମିଳିଥାଏ ପ୍ରଯୋଜକ ସନ୍ଦୀପ ରାଉତରାୟ ଓ ଅଭିନେତା ମୀନକେତନଙ୍କୁ। ଯେଉଁ ସିନେମାରେ ପ୍ରଥମେ ଏହି ଯୋଡ଼ି ଧମାଲ୍ କରିଥିଲେ, ତାହା ହେଲା ‘ଯିଏ ଯାହା କହୁ ମୋର ତୋ’ (୨୦୧୫)। ମୃତ୍ୟୁଞ୍ଜୟ ସାହୁ (ବାଜ) ଏହାର ନିର୍ଦ୍ଦେଶକ। ଫିଲ୍ମଟି ବିପୁଳ ବ୍ୟବସାୟିକ ସଫଳତା ହାସଲ କରିବା ପରେ ବାବୁସାନ୍‌-ଶୀତଲ ଯୋଡ଼ି ପ୍ରଯୋଜକଙ୍କର ପସନ୍ଦ ବନିଯାଇଥିଲେ। ଏହା ପରେ ପୁଣି ବାବୁସାନ୍-ଶୀତଲଙ୍କ ଯୋଡ଼ି ସୀତାରାମ୍ ଅଗ୍ରୱାଲଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଭଲ ପାଏ ତତେ ୧୦୦ରୁ ୧୦୦’ରେ ନଜର ଆସିଥିଲେ। ଏହା ବି ହିଟ୍ ହୋଇଥିଲା। ତା’ପରେ ଏହି ଯୋଡ଼ିକୁ ଦର୍ଶକ ’ତୁ ଯେ ସେଇ’ ଓ ‘ସୁନା ପିଲା ଟିକେ ସ୍କୃ ଢ଼ିଲା’ରେ ବି ଦେଖିବାକୁ ପାଇଥିଲେ।

ବାବୁସାନ୍‌-ଏଲିନା

ଷ୍ଟାରସନ୍ ବାବୁସାନଙ୍କ ସହ ଏଲିନା ଏଯାବତ୍‌ ଦୁଇଟି ସିନେମାରେ ନଜର ଆସିଛନ୍ତି। ୨୦୧୬ ରଜ ବଜାରରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଭ ଷ୍ଟେସନ’ରେ ଏଯାବତ୍ ପ୍ରଥମ ଓ ଅନ୍ତିମ ଥର ପାଇଁ ପରଦାକୁ ଆସିଛନ୍ତି ବାବୁସାନ୍-ଏଲିନାଙ୍କ ଯୋଡ଼ି। ତରଙ୍ଗ ସିନେ ପ୍ରଡକ୍ସନସ ବ୍ୟାନରରେ ନିର୍ମିତ ଏହି ସୁପରହିଟ୍ ସିନେମାର ନିର୍ଦ୍ଦେଶନା ଦେଇଥିଲେ ଷ୍ଟାଇଲିସ୍ ଫିଲ୍ମ ମେକର୍ ଅଶୋକ ପତି। ଏହି ରୋମାଣ୍ଟିକ୍-କମେଡି ବକ୍ସ ଅଫିସରେ ହଙ୍ଗାମା କରିବା ପରେ ‘ଝିଅଟା ବିଗିଡ଼ିଗଲା’ରେ ଦ୍ୱିତୀୟ ଥର ପାଇଁ ବାବୁସାନ୍-ଏଲିନାଙ୍କୁ ଦେଖିବାକୁ ମିଳିଥିଲା।

ବାବୁସାନ୍-ସୂରମୟୀ

ଓଲିଉଡ଼ର ଅଳ୍ପ ପରିଚିତା ନାୟିକା ସୂରମୟୀ ବାବୁସାନଙ୍କ ସହିତ ବି କେବଳ ଗୋଟିଏ ଓଡ଼ିଆ ସିନେମାରେ ସ୍କ୍ରିନ୍ ସେଆର୍ କରିଛନ୍ତି। ୨୦୧୫ରେ ରିଲିଜ୍ ହୋଇଥିବା ‘ଭଲ ପାଏ ତତେ ୧୦୦ରୁ ୧୦୦’ରେ ବାବୁସାନ୍-ସୂରମୟୀ ଯୋଡ଼ିକୁ ଦେଖିବାକୁ ମିଳିଥିଲା। ଏହି ଯୋଡ଼ିକୁ ବି ଦର୍ଶକ ପସନ୍ଦ କରିଥିଲେ।

ବାବୁସାନ୍-ଭୂମିକା

ଏଯାବତ୍ ଦର୍ଶକ ବାବୁସାନ୍‌ଙ୍କ ଅପୋଜିଟ୍‌ରେ ଭୂମିକାକୁ କେବଳ ଗୋଟିଏ ସିନେମାରେ ଦେଖିବାକୁ ପାଇଛନ୍ତି। ଆଉ ପ୍ରଥମ ସିନେମାରେ ବାବୁସାନ୍-ଭୂମିକାଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି । ଏହି ହିଟ୍ ଯୋଡ଼ି ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ହିରୋ ନମ୍ବର ୱାନ୍’ରେ ନଜର ଆସିଛନ୍ତି।

Comment