ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ।

ମହାରାଷ୍ଟ୍ର ମହାମେଣ୍ଟର କମାଣ ଧରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ତେବେ ରାଜନୀତି ପ୍ରତି ବିଲକୁଲ୍ ରୁଚି ରଖୁନଥିବା ଜଣେ ମଣିଷ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କେମିତି ହେଲେ, ଆସନ୍ତୁ ଜାଣିବା ଉଦ୍ଧବଙ୍କ ବିଷୟରେ।

୧୯୬୦ ମସିହା ଜୁଲାଇ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ଉଦ୍ଧବ ଠାକ୍‌ରେ ଜନ୍ମରୁ ଫଟୋଗ୍ରାଫର ହେବା ପାଇଁ ଇଚ୍ଛା ରଖିଥିଲେ। ବାପା ବାଲ୍ ଠାକରେ ମହାରାଷ୍ଟ୍ର ରାଜନୀତିର ପୁରୋଧା ହୋଇଥିବା ବେଳେ ସେ କିନ୍ତୁ ରାଜନୀତି ପ୍ରତି କୌଣସି ରୁଚି ରଖିନଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଲେଖାଲେଖି ଓ ଫଟୋଗ୍ରାଫିରେ ନିଜର ଅଧିକାଂଶ ସମୟ ବିତାଉଥିଲେ। 

ବାଲ୍ ଠାକରେ ଉଦ୍ଧବଙ୍କୁ ଶିବସେନାର ନେତୃତ୍ୱ ଦେବାକୁ ଚାହୁଁଥିଲେ। ହେଲେ ତାଙ୍କ ପୁତୁରା ରାଜ୍ ଠାକରେ ଦଳର ନେତୃତ୍ୱ ନେବାକୁ ଚାହୁଁଥିଲେ। ୨୦୦୩ ମସିହାରେ ଉଦ୍ଧବଙ୍କୁ ଶିବସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା। ଏହି ଦିନଠାରୁ ଶିବସେନାରେ ଆରମ୍ଭ ହୋଇଥିଲା ‘ଉଦ୍ଧବ ଯୁଗ’।

ଶିବସେନାର ଅଧ୍ୟକ୍ଷ ହେବା ପୂର୍ବରୁ ଉଦ୍ଧବ ନିଜକୁ ୨୦୦୨ ମସିହା ବିଏମ୍‌ସି ନିର୍ବାଚନରେ ପ୍ରମାଣିତ କରିସାରିଥିଲେ। ଉକ୍ତ ନିର୍ବାଚନରେ ଶିବସେନା ବେଶ୍ ଭଲ ପ୍ରଦର୍ଶନ କରିଥିଲା। ଏହାପରେ ଟିକେଟ୍ ବଣ୍ଟାକୁ ବିବାଦ କାରଣରୁ ୨୦୦୬ରେ ଉଦ୍ଧବ ଠାକରେଙ୍କ ଭାଇ ରାଜ୍ ଠାକରେ ଶିବସେନାରୁ ଅଲଗା ହୋଇ ମହାରାଷ୍ଟ୍ର ନବନିର୍ମାଣ ସେନା ନାମକ ଏକ ନୂଆ ଦଳ ଗଢ଼ିଥିଲେ। ଏହା ଉଦ୍ଧବଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ୍ ଥିଲା।

ପିତା ବାଲ୍ ଠାକରେଙ୍କ ନେତୃତ୍ୱରେ ଶିବସେନାର ପ୍ରତ୍ୟେକଟି କାମକୁ କରିଆସୁଥିଲେ ଉଦ୍ଧବ ଠାକରେ। ୨୦୧୨ରେ ବାଲ୍ ଠାକ୍‌ରେଙ୍କ ନିଧନ ପରେ ଦଳର ସମସ୍ତ କାର୍ଯ୍ୟଭାର ଉଦ୍ଧବଙ୍କ ଉପରେ ପଡ଼ିଥିଲା। ଏହାପରେ ଉଦ୍ଧବ ବିଜେପି ସରକାର ସହ ନିଜ ଦଳକୁ ଯୋଡ଼ିଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ମୋଟ୍ ୬୩ଟି ଆସନ ଜିତିଥିଲା। ସବୁବେଳେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଉଦ୍ଧବ କିନ୍ତୁ କେବେ ବି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରିନଥିଲେ। ତେଣୁ ୨୦୧୪ରେ ବିଜେପି ସହ ମିଶି ଶିବସେନା ରାଜ୍ୟରେ ସରକାର ଗଠନ କରିଥିଲା, ଯାହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ଫଡନାଭିସ୍।

୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସହ ମେଣ୍ଟ କରି ଶିବସେନା ନିର୍ବାଚନ ଲଢ଼ିଥିଲା। ନିର୍ବାଚନ ଫଳାଫଳରେ ମଧ୍ୟ ବିଜେପି-ଶିବସେନା ମେଣ୍ଟ ମୋଟ୍ ୧୬୧ଟି ସିଟ୍ ଜିତି ସରକାର ଗଠନ ପାଇଁ ଯୋଗ୍ୟ ହୋଇଥିଲା। ତେବେ ଏହି ସମୟରେ ବିଜେପି ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କହୁଥିଲାବେଳେ ରାସ୍ତାରେ କଣ୍ଟା ସାଜିଥିଲା ଶିବସେନା। ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏଥର ଫିପ୍ଟି ଫିପ୍ଟି ଫର୍ମୁଲା ଆପଣେଇବାକୁ କହିଥିଲା ଶିବସେନା, ଯେଉଁଥିରେ ରାଜି ହୋଇନଥିଲା ବିଜେପି। ଏହାପରେ ଦୀର୍ଘ ବର୍ଷର ମେଣ୍ଟ ବନ୍ଧୁତାକୁ ଭାଙ୍ଗି ବିଜେପିଠାରୁ ଅଲଗା ହୋଇଯାଇଥିଲା ଶିବସେନା।

ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ ଏଥିରେ ସଫଳ ହୋଇପାରିନଥିଲା। ଶିବସେନା, ଏନସିପି ଓ କଂଗ୍ରେସର ହାତ ଧରି ରାଜ୍ୟରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି ଜଣାଇବା ପରେ ଗୁରୁବାର ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଜଣେ ଫଟୋଗ୍ରାଫରରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ଉଦ୍ଧବଙ୍କ ପାଇଁ ନିହାତି ଭାବେ ବଡ଼ ଉପଲବ୍ଧି ହେବ ବୋଲି କୁହାଯାଉଛି।

Comment