ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ୍ ଆଣିବାକୁ ବିଜେପି ଯେଉଁ ରୋଡ୍ ମ୍ୟାପ୍ କରିଥିଲା ସେଥିରେ ବାଟ ଓଗାଳିଛି ଶିବସେନା। ମଙ୍ଗଳବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନାଗରିକ ସଂଶୋଧନ ବିଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ଏବେ ବିଜେପି ଏବଂ ଅମିତ ଶାହଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଉଦ୍ଧବ କହିଛନ୍ତି, “ ନାଗରିକ ସଂଶୋଧନ ବିଲକୁ ବିରୋଧ କରୁଥିବା ଦଳ ଦେଶଦ୍ରୋହୀ ନୁହନ୍ତି। ଏହି ବିଲ୍ ଆଇନ୍ ହେବା ପରେ ଶରଣାର୍ଥୀମାନଙ୍କୁ କେଉଁ ରାଜ୍ୟରେ ରଖାଯିବ ସେ ନେଇ ବିଲରେ ଉଲ୍ଲେଖ କରାଯିବା ଦରକାର। ଏହି କଥାକୁ ଅତ୍ୟନ୍ତ ସ୍ପଷ୍ଟ ଭାବେ ବିଲରେ ରଖାଯିବା ଉଚିତ।”

ଉଦ୍ଧବଙ୍କ ଏହି ମନ୍ତବ୍ୟ ବିଜେପିର ରାଜ୍ୟସଭା ଗଣିତ ଉପରେ ବିପଦ ସୃଷ୍ଟି କରିଛି। ଲୋକସଭାରେ ଆଗତ ହୋଇଥିବା ନାଗରିକ ସଂଶୋଧନ ବିଲକୁ ଶିବସେନା ଓ ଅନ୍ୟ କେତେକ ଦଳ ସମର୍ଥନ କରିଥିଲେ। ଫଳରେ ବିଲଟି ଲୋକସଭାରେ ଅତି ସହଜରେ ପାସ୍ ହୋଇଯାଇଥିଲା। ସେହିଭଳି ଉପାୟରେ ରାଜ୍ୟସଭାରେ ମଧ୍ୟ ବିଲକୁ ପାସ୍ କରିବାକୁ ଯୋଜନା କରିଥିଲା ବିଜେପି। ତେବେ ଉଦ୍ଧବଙ୍କ ଏହି ବୟାନ ବିଜେପି ଯୋଜନାରେ ପାଣି ମିଶାଇଦେଇଛି।

ଶିବସେନା ମୁଖ୍ୟଙ୍କ ଏଭଳି ମନ୍ତବ୍ୟ ପରେ ବିଲକୁ ନେଇ ଦେଖାଯାଇଥିବା ବିରୋଧାଭାସ ଅନ୍ୟ ଦଳମାନଙ୍କୁ ଡେଇଁବ ବୋଲି କୁହାଯାଉଛି।

 ଶିବସେନା ଓ ବିଜେପିର ରାଜ୍ୟସଭା ଗଣିତ?

ରାଜ୍ୟସଭାର ମୋଟ୍ ସଦସ୍ୟ ସଂଖ୍ୟା ୨୪୫। ଏମାନଙ୍କ ଭିତରୁ ବର୍ତ୍ତମାନ ୫ଟି ସିଟ୍ ଖାଲିପଡ଼ିଛି। ତେଣୁ ଏବେ ରାଜ୍ୟସଭାର ସଦସ୍ୟ ସଂଖ୍ୟା ୨୪୦ ରହିଛି। ଏହି ଅନୁସାରେ ରାଜ୍ୟସଭାରେ ବିଲ୍ ପାସ୍ ହେବା ପାଇଁ ମୋଟ୍ ୧୨୧ ସଦସ୍ୟଙ୍କ ସହଯୋଗ ଆବଶ୍ୟକ।

ବିଜେପି ପାଖରେ ଏବେ ମାତ୍ର ୮୩ ଜଣ ବିଜେପି ସାଂସଦ ଅଛନ୍ତି। ଏହାସହ ଶିବସେନା ଓ ଅନ୍ୟ କେତେକ ଦଳର ସମର୍ଥନରେ ବିଜେପି ୧୨୧ ସାଂସଦଙ୍କ ସମର୍ଥନ ପାଇବ ବୋଲି ଆଶା ରଖିଛି। ଯେଉଁଥିରେ କଣ୍ଟା ହୋଇ ଛିଡ଼ାହୋଇଛି ଶିବସେନା। ଯଦି ଶିବସେନା ରାଜ୍ୟସଭାରେ ବିଲକୁ ସମର୍ଥନ ନକରେ ତେବେ ବିଲଟି ଗୃହରେ ବହୁମତ ହାସଲ କରିବାରେ କଷ୍ଟ ହେବ ବୋଲି କୁହାଯାଉଛି।

ଶିବସେନା ମୁଖ୍ୟଙ୍କ ଏଭଳି ବୟାନ ଏବେ ଅମିତ ଶାହଙ୍କ କାମ ବଢ଼ାଇଦେଇଛି। ରାଜ୍ୟସଭାରେ କିଭଳି ନାଗରିକତା ସଂଶୋଧନ ବିଲ୍ ପାସ୍ ହେବ ସେ ନେଇ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

ବୁଧବାର ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ଆଗତ କରାଯିବ। ଯେକୌଣସି ପରିସ୍ଥିତିରେ ମଧ୍ୟ ଏହି ବିଲକୁ ରାଜ୍ୟସଭାରେ ପାସ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Comment