ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଶରଦ ପାୱାରଙ୍କ ଦଳ ଏନସିପି ଓ କଂଗ୍ରେସର ହାତ ଧରି ଗୁରୁବାର  ମହାରାଷ୍ଟ୍ରର କିଙ୍ଗ୍ ହେବେ ଉଦ୍ଧବ ଠାକରେ।

ତେବେ ଏପରି ସମୟରେ ଶିବସେନାର ପ୍ରତିଷ୍ଠାତା ବାଲା ସାହେବ୍ ଠାକରେଙ୍କ ଏକ କଥା ରାଜନୀତି ମହଲରେ ଝଡ଼ ସୃଷ୍ଟି କରିଛି। ୧୯୯୯ ମସିହାରେ ଯେଉଁ ଏନସିପି ନେତା ଶରଦ ପାୱାରଙ୍କୁ ଶିବସେନାର ପ୍ରତିଷ୍ଠାତା ତଥା ଉଦ୍ଧବ ଠାକରେଙ୍କ ବାପା ବାଲ୍ ଠାକରେ ନିଜର ଦଳର ଶତ୍ରୁ ବୋଲି କହିଥିଲେ। ଗୁରୁବାର ସେହି ଶରଦ ପାୱାରଙ୍କ କାନ୍ଧରେ କାନ୍ଧ ମିଳାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ତାଙ୍କ ପୁଅ ଉଦ୍ଧବ ଠାକରେ।

”ଶିବସେନାର ଶତ୍ରୁ ହେଉଛନ୍ତି  ଶରଦ”

୧୯୯୯ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେଇ ଦିନ ବାକି ଥାଏ। ରାଜ୍ୟରେ ସରକାର ଗଠନ ପାଇଁ ଶିବସେନା, ଏନସିପି, କଂଗ୍ରେସ ଓ ବିଜେପି ନିଜ ନିଜର ଚେଷ୍ଟା ଜାରି ରଖିଥାନ୍ତି। ଏନସିପି ଓ କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ହୋଇଥିବା ମଧ୍ୟ ଖବର ଆସିଥିଲା। ଏପରି ପରିସ୍ଥିତିରେ ବିଜେପି ଓ ଶିବସେନା ମଧ୍ୟ ନିଜ ନିଜ ଭିତରେ ବୁଝାମଣା କରିନେଇଥିଲେ। ହେଲେ ଏହାପରେ ମଧ୍ୟ ଚାରୋଟି ଯାକ ଦଳ ନିର୍ବାଚନରେ ଅଲଗା ଅଲଗା ଲଢ଼ିଥିଲେ।

ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳା ବାହାରିବା ପୂର୍ବରୁ ବାଲ୍ ଠାକରେଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, ଯଦି ଦରକାର ପଡ଼େ ତେବେ ଶିବସେନା ମହାରାଷ୍ଟ୍ରରେ ଏନସିପି ସହ ମିଶି ସରକାର ଗଠନ କରିବ କି ?

ଏହାର ଉତ୍ତର ଦେଇ ବାଲ୍ ଠାକରେ କହିଥିଲେ, “ ଯେଉଁ ନେତା କେନ୍ଦ୍ରରେ ବାଜପେୟୀଙ୍କ ସରକାରଙ୍କୁ ଭାଙ୍ଗିଦେଇଥିଲା। ସେଭଳି ନେତାଙ୍କ ସହ ଆମେ କେବେ ବି ବନ୍ଧୁତା କରିପାରିବୁ ନାହିଁ। ଜଣେ ଶତ୍ରୁ ସବୁବେଳେ ଶତ୍ରୁ, ତାଙ୍କ ସହ ବନ୍ଧୁତା କରିହେବନି।”

ବାଲ୍ ଠାକରେଙ୍କ ଏହି କଥା ଠିକ୍ ୨୦ ବର୍ଷ ପରେ ଚର୍ଚ୍ଚାକୁ ଫେରଛି। ଯେଉଁ ନେତାଙ୍କୁ ବାଲ୍ ଠାକରେ ଶିବସେନାର ଶତ୍ରୁ ବୋଲି କହିଥିଲେ, ଆଜି ତାଙ୍କ ସହ ମିଶି ପୁଅ ଉଦ୍ଧବ ଠାକରେ ସରକାର ଗଢୁଛନ୍ତି।

Comment