ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଝାରବନ୍ଧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପତ୍ରାଗୁଡ଼ା ଗ୍ରାମରୁ ୨ ବର୍ଷରେ ୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏକ ଅଜଣା ରୋଗ ଆକ୍ରାନ୍ତରେ ଲୋକମାନଙ୍କର ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଏହି ରୋଗ ଅଧିକାଂଶ ଯୁବକ, ଯୁବତୀମାନଙ୍କୁ ହେଉଛି।

ପ୍ରଥମେ ଜ୍ଵର, ତଣ୍ଟି ବ୍ୟଥା ଏହି ରୋଗର ପ୍ରଥମ ଲକ୍ଷଣ। ପରେ ଏହା କିଡନିକୁ ଆକ୍ରାନ୍ତ କରିଥାଏ। ଏଭଳି ରୋଗର ଶିକାର ହୋଇ ଅନେକ ପରିବାର ନିଜର ପୁଅ, ଝିଅଙ୍କୁ ହରାଇ ସାରିଛନ୍ତି। ପ୍ରାୟ ଦୁଇ ବର୍ଷ ମଧ୍ୟରେ ୨୦ ପରିବାର ନିଜ ଲୋକଙ୍କୁ ହରାଇଛନ୍ତି। ଏନେଇ ଭୟରେ ଲୋକେ ଗ୍ରାମ ଛାଡ଼ିବାକୁ ବସିଛନ୍ତି।

ଗତ ନଭେମ୍ଵର ୨୦ ତାରିଖରେ ପ୍ରଦୀପ ଦାସ ନାମକ ଜଣେ ବ୍ୟକ୍ତି କିଡନୀ ରୋଗରେ ପ୍ରାଣ ହରାଇଥିଲେ। ତେବେ ଗାଁର ଜଣେ ୭୫ ବର୍ଷିୟ ବୃଦ୍ଧା ସେମେର ତାଣ୍ଡି ୩ ମାସ ହେବ ଏହି ରୋଗରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେହିପରି ଭଗବାନ ମଲ୍ଲିକ ବୋଲି ଜଣେ ବ୍ୟକ୍ତି ୧୦ ବର୍ଷରେ ୫ ଲକ୍ଷ ଖର୍ଚ୍ଚ କରି ମଧ୍ୟ ଭଲ ହୋଇ ପାରୁନାହାନ୍ତି।

ସୋମବାର ଦିନ ଖବର ପାଇ ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ପତ୍ରାଗୁଡା ଗ୍ରାମକୁ ଯାଇ ସମସ୍ତଙ୍କ ଘର ଘର ବୁଲିଥିଲେ। ଶେଷରେ ଗାଁ ମଝିରେ ଏକ ସଭା କରିଥିଲେ। ଏନେଇ ଓଡ଼ିଶା ସରକାରଙ୍କୁ ବାରମ୍ବାର ଗ୍ରାମବାସୀ ଜଣାଇ ଥିଲେ ମଧ୍ୟ ପ୍ରଶାସନ ଶୁଣୁ ନ ଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ।

ଏହାସହ ବିଧାନସଭାରେ ଏ ଘଟଣା ଅବଗତ କରାଯିବ ବୋଲି ସେ କହିବା ସହ ଗାଁରେ ଥିବା ପାଣି ପରୀକ୍ଷା, ମୃତ ପରିବାରଙ୍କୁ ସରକାରୀ ସାହାଯ୍ୟ ମିଳିବା କଥା ବୋଲି ସେ କହିଥିଲେ। ଏହି ସଭାରେ ଗାଁର ମାଧବ ରଣା, ଭୀମ ସେନ ବହିଦାର, ରାଜୁ ମହାନନ୍ଦ, ଗୋକୁଳ ବହିଦାର, କେଦାର ମହାନ୍ତି, ବିରଞ୍ଚି ବେହେରା ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Comment