ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ଦ୍ରବ୍ୟର ବିକ୍ରି ପାଇଁ ପ୍ରଥମ ଥର ଭୁବନେଶ୍ୱରରେ ଆରମ୍ଭ ହୋଇଛି ମିଶନ ଶକ୍ତି ମେଳା। ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୨୧୩ଟି ଷ୍ଟଲକୁ ନେଇ ଏହି ମିଶନ ଶକ୍ତି ମେଳା ଆରମ୍ଭ ହୋଇଛି।

ଉଦଘାଟନୀ ଉତ୍ସବରେ ମିଶନ ଶକ୍ତିର କମିସନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ, ମିଶନ ଶକ୍ତିର ଉପଦେଷ୍ଟା ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ଗୁରୁବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ମେଳାକୁ  ଉଦଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ଏହି ମେଳାର ଆୟୋଜନ କରାଯାଇଛି।

ମିଶନ ଶକ୍ତି ମେଳାରେ ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ବିଭିନ୍ନ ଖାଦ୍ୟ ସାମଗ୍ରୀ  ସହ ବିଭିନ୍ନ ପ୍ରକାର ମସଲା ସ୍ଥାନ ପାଇଛି। ଏହାସହ ୨୦୦ପ୍ରକାରର ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ କରାଯାଉଛି। ରାଜ୍ୟର ମୋଟ ୨୫୧ଟି ସ୍ୱଂୟ ସହାୟକ ଗୋଷ୍ଠୀର ପ୍ରାୟ ୫୦୦ରୁ ଅଧିକ ମହିଳା ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି।

ପ୍ରଥମ ଥର ପାଇଁ ଏହି ମେଳାରେ ଖାଦ୍ୟ ପଦାର୍ଥର ପ୍ୟାକିଂ ପାଇଁ ସ୍ୱତନ୍ତ୍ର ଧରଣର ପଲିଥିନ୍ ପାଉଚ୍ ଏହି ମେଳାରେ ଦେଖିବାକୁ ମିଳିଛି। ବ୍ୟବସାୟ କ୍ଷେତ୍ରରେ ମହିଳାମାନଙ୍କ ଜ୍ଞାନ ବୃଦ୍ଧି ପାଇଁ ନିଫ୍ଟ, ଓରମାସ୍, ଆରଏସଇଟିଆଇ ଭଳି ଅନୁଷ୍ଠାନ ଏହି ମେଳାରେ ମହିଳାଙ୍କ ସହ ଆଲୋଚନା କରିଛନ୍ତି।

ଅନ୍ୟପଟେ ମିଶନ ଶକ୍ତି ମେଳାକୁ ଅଧିକ ଆକର୍ଷିତ କରିବା ପାଇଁ ସ୍ୱତନ୍ତ୍ର ସେଲ୍‌ଫି ପଏଣ୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଲୋକମାନେ ମେଳା ବୁଲି ଦେଖିବା ସହ ସେଲ୍ଫି ପଏଣ୍ଟରେ ସେଲ୍ଫି ନେଇ ଖୁସି ହେଉଥିବା ଦେଖିବାକୁ ମିଳିଛି। ଏହି ମେଳା ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Comment