ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ଆଇଆଇଏମ୍‌ସି ଅନୁଷ୍ଠିତ ହୋଇଛି ମହାବିଦ୍ୟାଳୟସ୍ତରୀୟ ଜାତୀୟ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ।

ଢେଙ୍କାନାଳ: ତମାଖୁଠାରୁ ମାରାତ୍ମକ ଦ୍ରବ୍ୟ ଦୁନିଆରେ କିଛି ନାହିଁ। ତେଣୁ ତୁରନ୍ତ ତାକୁ ଛାଡ଼ିବାକୁ ହେବ। ନିଜ ସ୍ୱାସ୍ଥ୍ୟ ପାଇଁ ଓ ଉତ୍ତମ ଦେଶ ଗଠନ ପାଇଁ ତମାଖୁ ଛାଡ଼ିବାକୁ ସମସ୍ତେ ଶପଥ ନେବା ଉଚିତ। ଏନେଇ ଗାଁରୁ ସହର ବିଶେଷତଃ ଯୁବପିଢ଼ି ସଚେତନ ହେବା ଜରୁରୀ ବୋଲି କହିଛନ୍ତି ଢେଙ୍କାନାଳ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଅଧିକାରୀ ଡାକ୍ତର ନିରଞ୍ଜନ ମିଶ୍ର।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି)ରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଛି ମହାବିଦ୍ୟାଳୟସ୍ତରୀୟ ଜାତୀୟ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ। ଏଥିରେ ଡାକ୍ତର ନିରଞ୍ଜନ ମିଶ୍ର ତମାଖୁ ସେବନର ଭୟାବହତା ବିଷୟରେ ଉଲ୍ଲେଖ କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି।

ଏଥିରେ ଯୋଗ ଦେଇ ସେ କହିଛନ୍ତି, “ତମାଖୁଜନିତ ମୃତ୍ୟୁ କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ ବହୁ ଉପରେ। ଭାରତ ଓ ଚୀନର ଅଧିକାଂଶ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ଲୋକ ମୁଖ୍ୟତଃ ତମାଖୁ ସେବନ କରୁଛନ୍ତି ଏବଂ ଅକାଳରେ ଜୀବନ ହାରୁଛନ୍ତି। ତମାଖୁ ଯୋଗୁଁ ଲୋକଙ୍କୁ ଅନେକ ପ୍ରକାର ସାଂଘାତିକ ରୋଗର ସାମ୍ନା କରିବାକୁ ପଡ଼ୁଛି। ତେବେ ଭାରତରେ ଏ ସମସ୍ୟା ସବୁଠୁଁ ଅଧିକ। କେବଳ ବୟସ୍କ କିମ୍ବା ଯୁବକ ନୁହନ୍ତି, ବରଂ ଛୋଟ ପିଲା ତଥା ମହିଳାମାନେ ମଧ୍ୟ ଗୁଟ୍‍ଖା, ବିଡ଼ି, ସିଗ୍ରେଟ୍‍, ଗୁଡ଼ାଖୁ ଆଦି ତମାଖୁ ଜାତୀୟ ଦ୍ରବ୍ୟ ସେବନ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଭିନ୍ନ ପ୍ରକାର ତମାଖୁରେ ୪ ହଜାରରୁ ଅଧିକ ପ୍ରକାର କେମିକାଲ୍‍ ରହୁଥିବାବେଳେ ଏଥିରୁ ଶହେଟି କେମିକାଲ୍‍କୁ ବିଷ ଭାବେ ଚିହ୍ନଟ କରାଯାଇଛି। ଏହାମଧ୍ୟରୁ ପୁଣି ୬୩ଟି କେମିକାଲ୍‍ କ୍ୟାନ୍ସରର ମୁଖ୍ୟ କାରଣ। ଦେଶରେ ହେରୋଇନ୍‍, ମଦ୍ୟପାନ, ଗାଡ଼ି ଦୁର୍ଘଟଣା, ହତ୍ୟା, ଆତ୍ମହତ୍ୟା ଓ ଏଡ୍ସ ଜନିତ ମୃତ୍ୟୁକୁ ମିଶାଇଦେଲେ ଯେତିକି ହେବ ତା’ଠାରୁ ଅଧିକ ଲୋକ ଧୂମପାନ ଯୋଗୁଁ ପ୍ରାଣ ହରାଉଛନ୍ତି। ୧୨ ବର୍ଷରୁ କମ୍‍ ପିଲା ବି ବିଭିନ୍ନ ପ୍ରକାର ନିଶା କବଳରେ ପଡୁଛନ୍ତି। ତେବେ ଗୁଟ୍‍ଖାରେ ସାଂଘାତିକ କେମିକାଲ ରହୁଛି। ସାଧାରଣତଃ ତମାଖୁର ମୂଲ୍ୟ ସାମାନ୍ୟ ଅଧିକ ଥିବାବେଳେ ଗୁଟ୍‍ଖାରେ ଶସ୍ତା ରାସାୟନିକ ପଦାର୍ଥ ମିଶୁଥିବାରୁ ଏହା ଶରୀର ପ୍ରତି ବେଶ୍‍ ବିପଜ୍ଜନକ।

ଅନ୍ୟତମ ବକ୍ତାଭାବେ ଯୋଗଦେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜ୍ୟୋତିଷ ମହାପାତ୍ର କହିଛନ୍ତି, “ଧୂମପାନକୁ ନିୟନ୍ତ୍ରଣ କରିବା ବର୍ତ୍ତମାନର ଅନ୍ୟତମ ବଡ଼ ଆହ୍ୱାନ। ନହେଲେ ଆଗାମୀ ଦିନରେ ଅନେକ ଜୀବନ ଅକାଳରେ ଚାଲିଯିବ। ଅନେକ ପରିବାର ଅନାଥ ହୋଇଯିବ। ସେଥିପାଇଁ ଲୋକେ ସଚେତନ ହୋଇ ତମାଖୁ ବର୍ଜନ କରିବା ଜରୁରୀ।“

ସେହିପରି ଆଇଆଇଏମ୍‍ସି ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, “ଆଜିର ଅଧିକାଂଶ ଯୁବକ ଯୁବତୀ ଭାବୁଛନ୍ତି, ସିଗ୍ରେଟ୍‍ ପିଇବା ବୋଧେ ଏକ ଭଲ ଷ୍ଟାଟସ୍‍ର ସିମ୍ବଲ୍‍। ଅର୍ଥାତ୍‍, ସିଗ୍ରେଟ୍‍ ପିଇଲେ ହିଁ ଜଣେ ସ୍ମାର୍ଟ ଲୋକ ଭାବେ ବିବେଚିତ ହେବ, ଏ ଧାରଣା ଅନେକଙ୍କର ରହିଛି। ତେଣୁ ଏମାନଙ୍କୁ ଧୂମପାନ ଛାଡ଼ିବା ପାଇଁ ସିଧାସଳଖ କହିବା ପରିବର୍ତ୍ତେ ଧୂମପାନ ସ୍ମାର୍ଟର ଲକ୍ଷଣ ନୁହେଁ, ସିଗ୍ରେଟ୍‍ ଷ୍ଟାଟସ୍‍ର ସିମ୍ବଲ୍‍ ନୁହେଁ କିମ୍ବା ଯିଏ ଧୂମପାନ କରେ ସେ ଉତ୍ତମ ବ୍ୟକ୍ତିର ପଦବାଚ୍ୟ ନୁହେଁ.. ଆଦି ବାର୍ତ୍ତା ମାଧ୍ୟମରେ ସଚେତନ କରିହେବ।“

ଏହି ଅବସରରେ ଏକ କୁଇଜ୍‍ ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ।

Comment