ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା ୨୨ ତାରିଖରେ ବାରବାଟି ଷ୍ଟାଡିୟମରେ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ନେଇ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି। ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିବ। ଅନେକ ପୁରୁଣା ରେକର୍ଡ ଭାଙ୍ଗିବାର ସୁଯୋଗ ମଧ୍ୟ ରହିଛି। ଏଠାରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ର ରେକର୍ଡ ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ରହିଛି। ଏହାକୁ ଭାଙ୍ଗିବାକୁ ଏହି ମ୍ୟାଚରେ ସୁଯୋଗ ରହିଛି।

୧୯୮୮ ମସିହାରେ ଭାରତ-ଜିମ୍ଵାଓ୍ଵେ ମ୍ୟାଚରେ ଆଝାରୁଦ୍ଦିନ ବାରବାଟୀ ଷ୍ଟାଡିୟମରେ ୧୫୩ ରନ୍‌ କରିଥିଲେ। ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଅଭଙ୍ଗା ରହିଛି। ଏହି ମ୍ୟାଚକୁ ଭାରତ ୩୨ ରନ୍‌ରେ ଜିତି ଥିଲା।

ଏହି ମ୍ୟାଚରେ ଭାରତ ପ୍ରଥମ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ଭଳି ବ୍ୟାଟ୍ସମ୍ୟାନ ବିଫଳ ହେବା ପରେ ଆଝାରୁଦ୍ଦିନ ଓ ଅଜୟ ଜାଡେଜା ଲଢ଼େଇ କରି ଦଳକୁ ୫୦ ଓଭରରେ ୩୦୧ରେ ପହଞ୍ଚାଇଥିଲେ।

୩୦୨ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଜିମ୍ଵାଓ୍ଵେ ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ବିଜୟୀ ହୋଇପାରିନଥିଲେ। ଦଳ ପକ୍ଷରୁ ଓପନର ଗ୍ରାଣ୍ଟ ଫ୍ଲାଓ୍ଵାର ଶତକ ହାସଲ କରିଥିଲା ବେଳେ ମୁରେ ଗୁଡ୍‌ଉଇନ୍‌ ୪୭ ରନ୍‌ କରିଥିଲେ। ଅନ୍ୟ କୌଣସି ବି ବ୍ୟାଟ୍ସମ୍ୟାନ ସହଯୋଗ ନକରିବାରୁ ଜିମ୍ଵାଓ୍ଵେ ୨୬୯ରେ ଅଲଆଉଟ ହୋଇଯାଇଥିଲା।

Comment