ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୋମବାର ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣି
  • ମୃତକଙ୍କ ଶବ ସୁରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ଶନିବାର ହାଇଦ୍ରାବାଦ ଆସିବେ ମାନବାଧିକାର କମିସନଙ୍କ ଟିମ୍‌
  • ମୁମ୍ବାଇ ଓକିଲ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖିଲେ ଚିଠି
  • ପୋଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି
  • ମୃତକ ପରିବାର ମଧ୍ୟ ଏନ୍‌କାଉଣ୍ଟର ଉପରେ ଉଠାଇଲେ ପ୍ରଶ୍ନ

ହାଇଦ୍ରାବାଦ ପୋଲିସ ଏନ୍‌କାଉଣ୍ଟରକୁ ନେଇ ଝଡ଼ ଉଠିଛି। ମାନବାଧିକାର କମିସନ ନିଜ ଆଡୁ ଏହି ଘଟଣାରେ ହସ୍ତକ୍ଷେପ କରିଥିବା ବେଳେ ତେଲେଙ୍ଗାନା ହାଇକୋର୍ଟ ସୋମବାର ରାତି ୮ଟା ଯାଏଁ ଶବ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ସାଢ଼େ ୧୦ଟାରେ ତେଲେଙ୍ଗାନା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ।

ଏପଟେ ମୁମ୍ବାଇର ଓକିଲ ଜି ସଦ୍‌ବାରତେ ଏବଂ ଜୟ ଶ୍ରୀ ପାଟିଲ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିକୁ ଚିଠି ଲେଖିଛନ୍ତି। ଏନ୍‌କାଉଣ୍ଟରେ ସାମିଲ ପୋଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଏହି ଚିଠିରେ ଦର୍ଶାଯାଇଛି। ଏନ୍‌କାଉଣ୍ଟର ନାଁରେ ଅଭିଯୁକ୍ତଙ୍କୁ ପୋଲିସ ହତ୍ୟା କରିଥିବା ଚିଠିରେ ଉଲ୍ଲେଖ ରହିଛି। ଏହାସହ ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି।

ମାନବାଧିକାର କମିସନଙ୍କ ଏକ ଟିମ୍‌ ମଧ୍ୟ ଶନିବାର ହାଇଦ୍ରାବାଦ ଆସୁଛନ୍ତି। ସେମାନେ ଏହି ଘଟଣାର ଯାଞ୍ଚ କରିବେ।

ମୁମ୍ବାଇର ଏହି ଓକିଲ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି, ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ, ଜାତୀୟ ମାନବାଧିକାର କମିସନ ଅଧ୍ୟଙ୍କୁ ଚିଠି ଲେଖିଛନ୍ତି।

ଏପଟେ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ଅଭିଯୁକ୍ତଙ୍କ ପରିବାର ମଧ୍ୟ ସ୍ୱର ଉଠାଇଛନ୍ତି। ଗଣଦୁଷ୍କର୍ମର ଅଭିଯୁକ୍ତ ଚିନ୍ତାକୁଣ୍ଟା ଚେନ୍ନାକେସବୁଲଙ୍କ ସ୍ତ୍ରୀ ରେଣୁକା ଏନ୍‌କାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଜିଲୁ ଶିବାଙ୍କ ବାପା ମଧ୍ୟ ମୁହଁ ଖୋଲିଛନ୍ତି। ଫଳରେ ଏନ୍‌କାଉଣ୍ଟର ମାମଲା ଭିନ୍ନ ମୋଡ଼ ନେଇଛି।

Comment