ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀ ଷ୍ଟାଡିୟମ ସମୀକ୍ଷା କଲେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏଥର ପ୍ରଥମଥର ପାଇଁ ହେବ ହେଲ୍‌ପ ଡେସ୍କ ଓ ଫ୍ୟାନ ପାର୍କ।

କଟକ: ବାରବାଟୀ ଷ୍ଟାଡିୟମଠାରେ ଆସନ୍ତା ଡିସେମ୍ବର ୨୨ରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି। ମ୍ୟାଚ ସମୟରେ ଷ୍ଟାଡିୟମକୁ କିଭଳି ଆକର୍ଷଣୀୟ କରାଯାଇପାରିବ ସେ ନେଇ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ତେବେ ପ୍ରଥମଥର ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ପ୍ରତ୍ୟେକ ଗ୍ୟାଲେରୀରେ ‘ହେଲ୍‌ପ ଡେସ୍କ୍’ ଓ କିଲା ପଡ଼ିଆରେ ‘ଫ୍ୟାନ୍ ପାର୍କ’ କରାଯିବ। ଆଜି ଗୃହ ରାଷ୍ଟ୍ର କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପୋଲିସ୍ ଡିଜି ସତ୍ୟଜିତ୍ ମହାନ୍ତି, କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ, ଡିସିପି ଅଖିଳେଶ୍ୱର ସିଂ ପ୍ରମୁଖ ବାରବାଟୀ ସ୍ଥିତି ସମୀକ୍ଷା କରିବା ସମୟରେ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) କାର୍ଯ୍ୟକର୍ତ୍ତାଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି।

ବାରବାଟୀ ଷ୍ଟାଡିୟମରେ ଯେତେବେଳେ ମ୍ୟାଚ ହୁଏ ସେତେବେଳେ ଗ୍ୟାଲେରୀରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ। ବିଶେଷ କରି ଦର୍ଶକମାନେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଯେମିତିକି ନିଜ ଟିକଟ ଅନୁଯାୟୀ କାହାରିକୁ ସିଟ୍ ମିଳେନି ତ’ କାହାର ଆଉ କିଛି ସମସ୍ୟା ଥାଏ। ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଏଥର ବାରବାଟୀ ମ୍ୟାଚରେ ହେଲ୍ପ ଡେସ୍କ୍ କାର୍ଯ୍ୟକାରୀ କରାଯିବ। ଏନେଇ ଆଜି ପୋଲିସ୍ କମିସନର ଓସିଏକୁ ଦାୟିତ୍ୱ ଦେଇଛନ୍ତି। ଲୋକେ କିଭଳି ସୁବିଧାରେ ଷ୍ଟାଡିୟମକୁ ଆସି ମ୍ୟାଚ ଦେଖିବେ ସେଥିପାଇଁ ହେଲ୍ପ ଡେସ୍କ ବାଧ୍ୟତାମୂଳକ କରାଯାଇଛି।

ସେହିପରି ବାରବାଟୀ ଷ୍ଟାଡିୟମ୍‌କୁ ମ୍ୟାଚ ଦେଖିବାକୁ ଆସି ଅନେକ ଦର୍ଶକ ଟିକଟ ନପାଇ ନିରାଶ ହୋଇ ଫେରନ୍ତି। ତେଣୁ ଏଥର ଟିକଟ ସଂଖ୍ୟା କମ୍ ରହୁଥିବାରୁ ଏଥିପ୍ରତି ଦୃଷ୍ଟି ଦେଇ ପ୍ରଥମଥର ପାଇଁ ଷ୍ଟାଡିୟମ୍ ସାମ୍ନାରେ ଥିବା କିଲା ପଡିଆରେ ଏକ ଫ୍ୟାନ୍ ପାର୍କ କରାଯିବ। ମ୍ୟାଚ ଦେଖିବାକୁ ସୁଯୋଗ ନପାଇଲେ ଦର୍ଶକମାନେ ଏଠାକୁ ଆସି ପାରିବେ। ଏଥିପାଇଁ ତଳ ପଡ଼ିଆରେ ସବୁଜ ଗାଲିଚା କରାଯାଇ ସେଠାରେ ବଡ଼ ପରଦା ବ୍ୟବସ୍ଥା କରାଯିବ। ଦର୍ଶକଙ୍କ ପାଇଁ ସେଠାରେ ବସିବାକୁ ସୁଯୋଗ କରାଯିବ ବୋଲି ଜଣାପଡ଼ିଛି।

ଉଭୟ ଯୋଜନା ପ୍ରଥମଥର ପାଇଁ ଲାଗୁ କରାଯିବାକୁ ଥିବା ବେଳେ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, କ୍ରିକେଟ ଏକ ଲୋକପ୍ରିୟ ଖେଳ ହୋଇଥିବାରୁ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହେବ। ତେଣୁ ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ହୋଇଥିବା ଓଡ଼ିଶା ଦର୍ଶକଙ୍କ ସୁବିଧା ପ୍ରତି ଯେପରି କୌଣସି ଅବହେଳା ରଖିବନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି।

ଅନ୍ୟପକ୍ଷରେ ପୋଲିସ୍ ଡିଜି ଓ କମିସନର ଉପସ୍ଥିତ ରହି କେଉଁଠି ସିସି କ୍ୟାମେରା ଲାଗିବ, କେଉଁଠୁ କ୍ୟାମେରା ନିୟନ୍ତ୍ରଣ କରାଯିବ ସେ ପ୍ରତି ଗୁରୁତ୍ୱ ଦେଇଥିଲେ। କୌଣସି ଅପ୍ରୀତିକର ପରିସ୍ଥିତି ଯେମିତି ସୃଷ୍ଟି ନହୁଏ ସେଥିପାଇଁ ଗ୍ୟାଲେରୀରେ ସିସି କ୍ୟାମେରା ନିହାତି ଆବଶ୍ୟକ ବୋଲି ଆୟୋଜକ ଓ କମିସନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି। ସେହିପରି ଷ୍ଟାଡିୟମ୍‌ର ପ୍ରବେଶ ଓ ପ୍ରସ୍ଥାନ ଦ୍ଵାରରେ ସିସି କ୍ୟାମେରା ଲଗାଇବାକୁ ଆୟୋଜକଙ୍କ କୁହାଯାଇଥିଲା।

ଅନ୍ୟପକ୍ଷରେ ଗ୍ୟାଲେରୀଗୁଡିକରେ ନେଟ୍ ବ୍ୟବସ୍ଥାକୁ ନେଇ ଡିସିପି ଆୟୋଜକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଯଦିଓ ପାଣିବୋତଲ ଓ ପାଉଚ୍ ଷ୍ଟାଡିୟମ୍ ଭିତରକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ତଥାପି ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ନେଇ ଗ୍ୟାଲେରୀରେ ଜାଲି ଲଗାଯିବ। ସେହିପରି କୌଣସି ଓଜନିଆ ସାମଗ୍ରୀ ଷ୍ଟାଡିୟମ୍ ଭିତରକୁ ନେବାକୁ ଦିଆଯିବନାହିଁ। ଫଳ, ହେଲ୍‌ମେଟ୍‌, ଗ୍ଲାସ୍, ବାଣ ଭଳି ସାମଗ୍ରୀକୁ କଟକଣା କରାଯାଇଛି।

Comment