ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏବେ ‘କିଷାନ୍-କାଳିଆ’ ଭାଇ ଭାଇ। କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ୍ ସହିତ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯିବା ପରେ ରାଜନୀତି କରିଡ଼ରରେ ଏଭଳି ଚର୍ଚ୍ଚା ହେଉଛି। ତେବେ ନିର୍ବାଚନ ପୂର୍ବରୁ ଯେଉଁ ‘କିଷାନ୍-କାଳିଆ’କୁ ନେଇ ଚର୍ଚ୍ଚା ଲାଗି ରହିଥିଲା ତାକୁ କାହିଁକି ମିଶାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
‘କାଳିଆ-କିଷାନ୍’ ଏକାଠି ହେବା ପରେ ରାଜନୀତି ମଧ୍ୟ କିଛି କମ୍ ହେଉନି। ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ କଂଗ୍ରେସ ଉଭୟ ବିଜେପି ଏବଂ ବିଜେଡିକୁ ତୀର ମାରିଛି। ରାଜ୍ୟ ରାଜକୋଷରେ ଆଉ ଟଙ୍କା ନଥିବାରୁ ରାଜ୍ୟ ସରକାର କେନ୍ଦ୍ର ପିଠିରେ ନାଉ ହେଉଛନ୍ତି ବୋଲି ବିଜେପି କହିଛି। ଏପଟେ କଂଗ୍ରେସ ବିଜେପି-ବିଜେଡିର ସମ୍ପର୍କକୁ ନେଇ ଆଙ୍ଗୁଳି ଦେଖାଇଛି।
ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ‘କାଳିଆ’ ଯୋଜନାର ଗାଇଡ୍ଲାଇନ୍ ପରିବର୍ତ୍ତନ କରାଯାଇଛି। ପିଏମ୍ କିଷାନ୍ ଯୋଜନା ସହିତ କାଳିଆ ଯୋଜନାକୁ ଏକାଠି କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ହୋଇଛି। ଏହି ନୂଆ ଗାଇଡ୍ଲାଇନ୍ ଅନୁସାରେ ଚାଷୀଙ୍କୁ ବର୍ଷକୁ ୧୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ମିଳିବ। କେନ୍ଦ୍ର ସରକାର ୬ ହଜାର ଏବଂ ରାଜ୍ୟ ସରକାର ୪ ହଜାର ଟଙ୍କା ଦେବେ। ତେବେ ‘କାଳିଆ’ ଯୋଜନାରେ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିବା ବେଳେ ଏବେ କାହିଁକି ୪ ହଜାର ଟଙ୍କା ଦେବେ ତାକୁ ନେଇ ରାଜନୀତି ପାଣିପାଗ ଗରମ ହୋଇଛି। ରାଜ୍ୟ ସରକାରଙ୍କ ପାଖରେ ଟଙ୍କାର ଅଭାବ ପଡ଼ିଲା କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେବାକୁ ନିୟମ ରହିଥିଲା। ନିର୍ବାଚନ ପୂର୍ବରୁ କିଛି ଚାଷୀଙ୍କୁ ସରକାର ପ୍ରଥମ କିସ୍ତିର ଟଙ୍କା ଦେଇଥିଲେ। ବଳକା ଚାଷୀଙ୍କୁ ନୂଆ ସରକାର ଗଠନ ହେବା ପରେ ଟଙ୍କା ଦେଇଥିଲେ।
ଦ୍ୱିତୀୟ କିସ୍ତି ଦେବା ପୂର୍ବରୁ କାଳିଆ ଯୋଜନା ଗୋଳିଆ ହୋଇଗଲା। ଅଯୋଗ୍ୟ ହିତାଧିକାରୀ କାଳିଆ ସହାୟତା ପାଇଥିବା ସରକାର କହିଲେ। ଅଯୋଗ୍ୟ ହିତାଧିକାରୀ ବାଛିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ନୋଡା ଅଫିସରଙ୍କୁ ଦାୟିତ୍ୱ ଦେଲେ। ତେବେ ଯେଉଁ ରିପୋର୍ଟ ଆସିଲା ତାକୁ ନେଇ ତାଳମେଳ ରହିଲାନି। ମନ୍ତ୍ରୀ ୪୦ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ କଥା କହିଥିବା ବେଳେ ବିଜେଡି ମୁଖପାତ୍ର ଏହାକୁ ଖଣ୍ଡନ କରିଥିଲେ। ଅଯୋଗ୍ୟ-ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ‘କାଳିଆ’କୁ ‘କିଷାନ୍’ ସହିତ ମିଶାଇବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଖବର ଆସିଲା। କୃଷି ମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ଦେଲେ।
‘‘ପିଏମ୍ କିଷାନ୍ ସହିତ କାଳିଆ ଯୋଜନା ମିଶିବ। ଲୋକମାନେ ଉପକୃତ ହେବେ। ହେଲେ କାଳିଆ ଯୋଜନା ବନ୍ଦ ହେବ ନାହିଁ’’, କହିଥିଲେ ମନ୍ତ୍ରୀ ଅରୁଣ ସାହୁ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିଜେପି ସମାଲୋଚନା କଲା। ବିଜେପି ଉପସଭାପତି ସମୀର ମହାନ୍ତି କହିଲେ ଯେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ଯୋଜନା କଲେ। ହେଲେ ନିର୍ବାଚନ ପରେ ଟଙ୍କା ନଥିବାରୁ କେନ୍ଦ୍ର ସରକାରଙ୍କ ପିଠିରେ ସରକାର ନାଉ ହେବାକୁ ବାହାରିଛନ୍ତି।
କାଳିଆ ଯୋଜନାର ନୂଆ ଗାଇଡ୍ଲାଇନ୍ ଜାରି ହେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ତୀର ମାରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଏବଂ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଶୁଭାରମ୍ଭ କରିଥିଲେ। ହେଲେ ନିର୍ବାଚନ ପରେ ଚାଷୀଙ୍କୁ ରାଜ୍ୟ ସରକାର ପ୍ରତାରିତ କରିଛନ୍ତି। ବିଜେପି ଓ ବିଜେଡି ହେଉଛନ୍ତି ପ୍ରତିଶ୍ରୁତିର ସରକାର।