ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଣା ଦାବି ଦୋହରାଇଛନ୍ତି। ପାଇକ ବିଦ୍ରୋହର ମହାନ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଦାବି ରଖିଛନ୍ତି ନବୀନ।

ଏହାସହ ପାଇକ ବିଦ୍ରୋହ ୧୮୧୭ ମସିହାରେ ହୋଇଥିଲା। ଏହାକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ନବୀନ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

୨୦୧୭ରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ନବୀନ ଉପରୋକ୍ତ ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏନେଇ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀମାନଙ୍କୁ ନବୀନ ଚିଠି ଲେଖିଥିଲେ। ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ ଅବସରରେ ନବୀନ ଏହି ଦାବି ପୁଣି ଉଠାଇଛନ୍ତି।

‘‘ଓଡ଼ିଆ ଜାତି ହେଉଛନ୍ତି ସ୍ୱାଭିମାନୀ। ପାଇକ ବିଦ୍ରୋହରେ ସେମାନେ ବୀରତ୍ୱ ପ୍ରଦର୍ଶନ କରିଥିଲେ। ଓଡ଼ିଆ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ଯାଏଁ ଜୟ କରିଥିଲେ। ସମ୍ରାଟ ଖାରବେଳ, କପିଳେନ୍ଦ୍ର ଦେବଙ୍କ ଦିଗ୍‌ବିଜୟ ଓଡ଼ିଆ ଜାତିର ଗୌରବ ବୃଦ୍ଧି କରିଥିଲା। ୧୮୧୭ରେ ଇଂରେଜମାନଙ୍କ ବିରୋଧରେ ପାଇକମାନେ ପ୍ରଥମେ ସଂଗ୍ରାମ କରିଥିଲେ। ଏହି ସଂଗ୍ରାମକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ମୁଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସିଛି। ସେହିପରି ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ଦାବି ମଧ୍ୟ କରି ଆସିଛୁ। ମୁଁ ଆଶା କରୁଛି ରାଷ୍ଟ୍ରପତି ଆମ ଦାବି ପ୍ରତି ସୁବିଚାର କରିବେ’’, କହିଛନ୍ତି ନବୀନ ପଟ୍ଟନାୟକ।

Comment