ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ ଜୟୀ ରାଜଗୁରୁ ଏବଂ ବକ୍ସି ଜଗବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ।

ରାଷ୍ଟ୍ରପତି କହିଥିଲେ, ‘‘ଆମ ଇତିହାସର ଗୌରବଶାଳୀ ଅଧ୍ୟାୟକୁ ଦେଶବାସୀଙ୍କୁ ପରିଚିତ କରାଇବା ଏବଂ ଯୁବପିଢ଼ିଙ୍କୁ ଆମ ପୂର୍ବପୁରୁଷମାନଙ୍କର ବଳିଦାନ ସମ୍ପର୍କରେ ଅବଗତ କରାଇବା ହେଉଛି ରାଷ୍ଟ୍ର ନିର୍ମାଣ ଏକ ମୁଖ୍ୟ ଅଂଶ। ଖୋର୍ଦ୍ଧାଠାରେ ଯେଉଁ ସ୍ମାରକ ନିର୍ମାଣ ହେବ ତାହା ଭବିଷ୍ୟତର ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଏହି ସ୍ମାରକସ୍ଥଳ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ ପର୍ଯ୍ୟଟସ୍ଥଳ ଭାବେ ପରିଚୟ ହାସଲ କରିବ ବୋଲି ମୋର ବିଶ୍ୱାସ ରହିଛି।’’

‘‘କ୍ଷତ୍ରିୟ ଯୋଦ୍ଧାମାନଙ୍କୁ ପାଇକ କୁହାଯାଉଥିଲା। ବ୍ରିଟିଶ ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପାଇକମାନେ ବିଦ୍ରୋହ ଆରମ୍ଭ କରିଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଉଥିବା ଜୟୀ ରାଜଗୁରୁଙ୍କୁ ବ୍ରିଟିଶ ଶାସକମାନେ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଏହି ମହାନସ୍ଥଳରେ ଉପସ୍ଥିତ ହୋଇ ଦେଶ ପାଇଁ ସହିଦ ହୋଇଥିବା ବୀର ପାଇକମାନଙ୍କ ସ୍ମୃତିଚାରଣ କରିବା ଆମମାନଙ୍କ ପାଇଁ ଗୌରବର ବିଷୟ।’’

‘‘ଜୟୀ ରାଜଗୁରୁଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପରେ ଇଂରେଜମାନେ ଧରି ନେଇଥିଲେ ଯେ ପାଇକ ମେଳି ଶେଷ ହୋଇଗଲା। କିନ୍ତୁ ବକ୍ସି ଜଗବନ୍ଧୁ ବିଦ୍ୟାଧର ପାଇକ ବିଦ୍ରୋହକୁ ଆଗକୁ ନେଇଥିଲେ। ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ଏକାଠି ହୋଇ ଇଂରେଜମାନଙ୍କ ଉପରେ ଆକ୍ରମଣ କରିଥିଲେ। ପାଇକ ବିଦ୍ରୋହରେ ଓଡ଼ିଶାର ସବୁ ବର୍ଗର ଲୋକ ଯୋଡ଼ି ହୋଇଥିଲେ। ଫଳରେ ଏହା ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଗଲା। ୨୦୧୭ରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାର ଭବ୍ୟ ସମାରୋହ ଆୟୋଜନ କରି ବରପୂତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ’’, କହିଥିଲେ ରାଷ୍ଟ୍ରପତି।

ପାଇକ ବିଦ୍ରୋହ ଉପରେ ଅଧିକ ଅଧ୍ୟୟନ ଓ ଗବେଷଣା କରିବା ପାଇଁ ଏକ ଚେୟାର ପ୍ରତିଷ୍ଠା କରାଯାଇଛି। ଯୁବପିଢ଼ିମାନେ ପାଇକ ବିଦ୍ରୋହ ସମ୍ପର୍କରେ ଅଧିକ ଗବେଷଣା କରିବା ଦରକାର ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ।

‘‘ଓଡ଼ିଶାରେ ପ୍ରାକୃତିକ ସମ୍ପଦ ପ୍ରଚୁର ପରିମାଣରେ ଭର୍ତ୍ତି ହୋଇ ରହିଛି। ଓଡ଼ିଶାକୁ ରତ୍ନଗର୍ଭା କୁହାଯାଉଛି। ବିସ୍ତୀର୍ଣ୍ଣ ବେଳାଭୂମି, ଜଙ୍ଗଲ, ଖଣିଜସମ୍ପଦ, ପ୍ରାଚୀନ କୀର୍ତ୍ତିରାଜି ରହିଛି। ଓଡ଼ିଶାର କଳା, ସଂସ୍କୃତି ମଧ୍ୟ ମହାନ। ପୂଜ୍ୟପୂଜାର ସମ୍ମାନ ମଧ୍ୟ ଓଡ଼ିଶାରେ ଦେଖିବାକୁ ମିଳିଥାଏ। ଦେଶ ବିଦେଶରେ ସବୁଠି ଓଡ଼ିଶାର କଳା ନୈପୁଣ୍ୟତାର ନିଦର୍ଶନ ଦେଖିବାକୁ ମିଳୁଛି। ଭାରତ ସରକାର ପୂର୍ବ ଭାରତର ବିକାଶ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି। ଏହି କ୍ରମରେ ଓଡ଼ିଶାରେ ଅନେକ ବିକାଶ ମଧ୍ୟ ହେଉଛି’’, କହିଥିଲେ ରାଷ୍ଟ୍ରପତି।

ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ସେ ପାଇକ ବିଦ୍ରୋହରେ ମଳିଦାନ ଦେଇଥିବା ବୀର ପାଇକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ମାନ୍ୟତା ଓ ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ ଚଳାଚଳ କରିବାକୁ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟପାଳନ ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Comment