ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପି ରାଜ୍ୟ ସଭାପତି ରେସ୍ରେ ପୃଥ୍ୱୀରାଜ ହରିଚନ୍ଦନ ଓ ସମୀର ମହାନ୍ତି।
ଡିସେମ୍ବର ଶେଷ କିମ୍ବା ଜାନୁଆରୀ ଆରମ୍ଭରୁ ରାଜ୍ୟ ବିଜେପିର ହେବ ନବକଳେବର। ବସନ୍ତ ଯିବେ, ତାଙ୍କ ଜାଗାରେ ନୂଆ ସଭାପତି ଆସିବେ। ତେବେ ବସନ୍ତଙ୍କ ଜାଗାରେ କିଏ ନୂଆ ମୁହଁ ଆସିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
କୁହାଯାଉଛି ଏଥର ଉପକୂଳ ଓଡ଼ିଶାର ନେତାଙ୍କ ଭାଗରେ ପଡ଼ିପାରେ ବିଜେପି ସଭାପତି ପଦ। ଏଥିପାଇଁ ବିଜେପି ଉପ-ସଭାପତି ସମୀର ମହାନ୍ତି ଏବଂ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି।
ରାଜ୍ୟ ବିଜେପି ସଭାପତି ପଦକୁ ନେଇ କାଉଣ୍ଟ ଡାଉନ୍ ଆରମ୍ଭ ହେବା ଦିନରୁ ‘ଓଡ଼ିଶାଲାଇଭ୍’ ପକ୍ଷରୁ ଖବର ପ୍ରକାଶିତ ହୋଇ ଆସୁଛି। ଅପରାଜିତା ଷଡ଼ଙ୍ଗୀ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଆମେ ବିଶ୍ଲେଷଣାତ୍ମକ ଖବର ପ୍ରକାଶ କରିଥିଲୁ। ଏବେ କିନ୍ତୁ ପୃଥ୍ୱୀରାଜ ଏବଂ ସମୀରଙ୍କ ନାଁକୁ ନେଇ ଚର୍ଚ୍ଚା ବଢ଼ିଛି।
ତେବେ ବିଜେପି ସଭାପତି ପଦ ପାଇଁ ସମୀର ଓ ପୃଥ୍ୱୀରାଜଙ୍କ ଉପରେ କାହିଁକି ସ୍ପଟ୍ଲାଇଟ୍ ପଡ଼ିଲା ଆସନ୍ତୁ ଜାଣିବା ଏହି ବିଶ୍ଲେଷଣାତ୍ମକ ଖବରରୁ।
ଫୋକସ୍ରେ ଉପକୂଳ ନେତା
ପଶ୍ଚିମ ଓଡ଼ିଶା ନେତାଙ୍କ ପାଖରେ ଦୀର୍ଘ ବର୍ଷ ହେଲା ରହି ଆସିଥିଲା ରାଜ୍ୟ ବିଜେପି ସଭାପତି ପଦ। କେବଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ମନମୋହନ ସାମଲଙ୍କୁ ଛାଡ଼ିଦେଷଳ ଉପକୂଳ ଓଡ଼ିଶର ଅନ୍ୟ କୌଣସି ନେତା ରାଜ୍ୟ ବିଜେପିର ମଙ୍ଗ ଧରି ନାହାନ୍ତି। ହେଲେ ୨୦୧୯ ନିର୍ବାଚନ ପରେ ଗଣିତ ବଦଳିଛି। ସଭାପତି ପଦ ପାଇଁ ଉପକୂଳ ନେତାଙ୍କ ଉପରେ ବିଜେପିର ଶୀର୍ଷ ନେତୃବୃନ୍ଦ ଫୋକସ୍ କରୁଥିବା କୁହାଯାଉଛି।
ପଶ୍ଚିମ ଓଡ଼ିଶାରେ ବିଜେପି ସଙ୍ଗଠନ ମଜଭୁତ ରହିଥିଲା। ଉପକୂଳ ଓଡ଼ିଶାରେ ଯେତେ ଚେଷ୍ଟା କଲେ ବି ସଙ୍ଗଠନ ସୁଦୃଢ଼ ହେଉ ନଥିଲା। ହେଲେ ୨୦୧୯ ନିର୍ବାଚନରେ ସଙ୍ଗଠନରେ ପରିବର୍ତ୍ତନ ହୋଇଛି। ପଶ୍ଚିମ ଓଡ଼ିଶା ସହ ଉପକୂଳରେ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାରେ ମୋଟ ୩୫ଟି ବିଧାନସଭା ଆସନ ଭିତରୁ ବିଜେପି ୮ଟି ଆସନ ସହ ୪ ଲୋକସଭା ଆସନ ଅକ୍ତିଆର କରିଛି।
ଅପରାଜିତା ଧରିବେ କି ରାଜ୍ୟ ବିଜେପିର ମଙ୍ଗ?
ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟ ବିଜେପି ସଭାପତି କରିବା ପାଇଁ ଦଳ ଚାହିଁବ କି?
ସେହିପରି ସବୁବେଳେ ଯେଉଁ ଉପକୂଳ ଓଡ଼ିଶାରେ ବିଜେପି ଫେଲ୍ ମାରୁଥିଲା ସେଠି ଭୋଟ ପ୍ରତିଶତ ବୃଦ୍ଧି ପାଇଛି। ବିଜେପି ଯଦିଓ ମିଶନ ୧୨୦ରେ ସଫଳ ହୋଇନି, ହେଲେ ମୁଖ୍ୟ ବିରୋଧୀ ଦଳ ଆସନ ଅକ୍ତିଆର କରିବାରେ ସଫଳ ହୋଇଛି।
ଆଗକୁ ଆସୁଛି ପୌର ଭୋଟ୍। ପୌର ନିର୍ବାଚନ ବିଜେପି ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ସାଧାରଣ ନିର୍ବାଚନ ପରି ବିଜେଡିକୁ ସବୁ ପୌରାଞ୍ଚଳରେ ଚେକ୍ ଦେବା ପାଇଁ ବିଜେପି ସଜବାଜ ହେଉଛି। ଏଣୁ ପୌର ଭୋଟକୁ ଦୃଷ୍ଟିରେ ରଖି ବିଜେପି ଉପକୂଳ ନେତାଙ୍କୁ ସଭାପତି କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।
କାହିଁକି ପୃଥ୍ୱୀରାଜ?
ପୃଥ୍ୱୀରାଜ ହରିଚନ୍ଦନଙ୍କୁ ନେଇ ଗତ କିଛିଦିନ ହେଲା ବିଜେପି ଶିବିର ହଲ୍ଚଲ୍ ହେଉଛି। ପୃଥ୍ୱୀରାଜ ବର୍ତ୍ତମାନ ଆଗଧାଡ଼ିରେ ରହୁଥିବାରୁ ସେ ସଭାପତି ହୋଇପାରନ୍ତି ବୋଲି କୁହାଯାଉଛି। ପୃଥ୍ୱୀରାଜ ଏବେ ଦଳର ସାଧାରଣ ସମ୍ପାଦକ ଅଛନ୍ତି। ସେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ହୋଇଥିବାରୁ ସଭାପତି ପଦ ପାଇଁ ପ୍ରମୁଖ ଦାବିଦାର ରହିଥିବା ଚର୍ଚ୍ଚା ହେଉଛି।
ପୃଥ୍ୱୀରାଜ ୨୦୧୪ରେ ଭୁବନେଶ୍ୱର ଲୋକସଭା ଆସନ ଏବଂ ୨୦୧୯ରେ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନ ପରୀକ୍ଷାରେ ସେ ଫେଲ୍ ମାରିଥିଲେ। ହେଲେ ଜଣେ ଯୁବ ନେତା ହୋଇଥିବାରୁ ଏବଂ ତାଙ୍କର ସାଙ୍ଗଠନିକ ଦକ୍ଷତା ରହିଥିବାରୁ ସେ ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
କାହିଁକି ସମୀର?
ରାଜ୍ୟ ବିଜେପିର ଉପ-ସଭାପତି ଥିବା ସମୀର ମହାନ୍ତି ମଧ୍ୟ ସଭାପତି ରେସ୍ରେ ରହିଥିବା କୁହାଯାଉଛି। କାରଣ ସେ ୨୦୧୪ ଏବଂ ୨୦୧୯ରେ ପ୍ରାର୍ଥୀ ହୋଇ ନଥିଲେ। ସେ ସବୁବେଳେ ସଙ୍ଗଠନ କଥା ବୁଝି ଆସୁଥିଲେ।
ଦଳକୁ ଯେତେବେଳେ ସଙ୍କଟ ଆସେ ସେତେବେଳେ ସମୀର ସଙ୍କଟମୋଚକ ଭାବେ ଛିଡ଼ା ହୋଇଥାନ୍ତି। ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ସମୀର ଦଳକୁ ସୁରକ୍ଷା ଦେଇଥାନ୍ତି। ସମୀରଙ୍କ ଏସବୁ କାମ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କୁ ଆକର୍ଷିତ କରିପାରିଛି। ଏଣୁ ସମୀର ପରର୍ତ୍ତୀ ସଭାପତି ହେବା ନେଇ ଚର୍ଚ୍ଚା ହେଉଛି।
କାହିଁକି ଅନ୍ୟ କେହି ନୁହେଁ?
ଉପକୂଳ ଓଡ଼ିଶାରୁ ଏହି ଦୁଇ ନାଁକୁ ନେଇ ଚର୍ଚ୍ଚା ହେଉଛି। ହେଲେ ଅନ୍ୟ ନେତାମାନଙ୍କୁ ନେଇ କାହିଁକି ନୁହେଁ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି। ଅପରାଜିତା ଷଡ଼ଙ୍ଗୀ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ନେଇ ସଭାପତି ପଦ ପାଇଁ ଚର୍ଚ୍ଚା ହେଉଥିଲା।
କିନ୍ତୁ ଅପରାଜିତା ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି। ଏଣୁ ଅପରାଜିତା ସଭାପତି ହୋଇ ନପାରନ୍ତି ବୋଲି କୁହାଯାଉଛି। ସେହିପରି ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପସଭାପତି ରହିବା ସହ ନିକଟରେ ରାଜସ୍ଥାନର ପର୍ଯ୍ୟବେକ୍ଷକ ଅଛନ୍ତି। ଏଣୁ ତାଙ୍କୁ ସଭାପତି କରାଯାଇ ନପାରେ ବୋଲି ରାଜନୀତି ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି।








ବିଜେପି ରାଜ୍ୟ ସଭାପତି ରେସ୍ରେ ପୃଥ୍ୱୀରାଜ ହରିଚନ୍ଦନ ଓ ସମୀର ମହାନ୍ତି।









